Jail 3

ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ରାଜ୍ୟ

ବାରିପଦା : ଆଜି ଗୁରୁବାର ଏକ ହତ୍ୟା ମାମଲାର ବିଚାରକରି ମାନ୍ୟବର ଜିଲ୍ଲା ଓ ଦୌରାଜଜ ସୁଦୀପ୍ତ ଆଚାର୍ଯ୍ୟ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବୈଶିଂଘା ଥାନା ଅନ୍ତର୍ଗତ ଆମ୍ବଗଡ଼ିଆ ଗ୍ରାମର କ୍ରିଷ୍ନା ସିଂ ଏଲିଏସ ଜୟଦେବ ସିଂ  କୁ ଦଫା 302 ଅନୁଯାୟୀ ଆଜୀବନ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି l ସେହିପରି ଦଫା 341 ରେ ପନ୍ଦର ଦିନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି l ମାମଲାର ବିବରଣୀ ରୁ ପ୍ରକାଶ ଯେ ବୈଶିଙ୍ଘା ଥାନା ଅନ୍ତର୍ଗତ ନୂଆସାହି ଆମ୍ବଗଡ଼ିଆ ଗ୍ରାମର ଶଙ୍କର ସିଂ ର ଝିଅ କୁ ଉକ୍ତ ଗ୍ରାମର କାର୍ତ୍ତିକ ସିଂ ର ପୁଅ ଭଲପାଇ ନିଜ ଘରକୁ ନେଇଯାଇଥିଲା l 2022 ଫେବୃଆରୀ 9 ତାରିଖ ରେ  ଶଙ୍କର ସିଂ ଝିଅ ର ଆଧାର କାର୍ଡ ଏବଂ ବ୍ୟାଙ୍କ ପାଶବହି ଇତ୍ୟାଦି ଆଣିବାଜୁ କାର୍ତ୍ତିକ ସିଂ ର ଘରକୁ ଯାଇଥିଲେ l ଏହି ସମୟରେ କାର୍ତ୍ତିକ ର ପରିବାରଲୋକ ଶଙ୍କର ସହିତ ଝଗଡା କରିଥିଲେ l ବାଟରେ ଘରକୁ ଫେରୁଥିବା ସମୟରେ କାର୍ତ୍ତିକ ର ତିନି ପୁଅ ଗୌର ସିଂ, ବାପୁନ ସିଂ, କ୍ରିଷ୍ଣା ସିଂ ଏବଂ ତାର ସ୍ତ୍ରୀ ସ୍ୱରସତୀ ସିଂ ଆସି ଶଙ୍କର କୁ ଏକ ଧରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l ଖବର ପାଇ ଶଙ୍କର ଙ୍କ ପୁଅ ଡ଼ମ୍ବରୁଧର ସିଂ ଆସି ଗ୍ରାମବାସୀ ଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଶଙ୍କର ଙ୍କୁ ସ୍ଥାନୀୟ ବେତନଟୀ ଡାକ୍ତରଖାନାକୁ ଆଣିଥିଲେ l ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଏ ବାବଦରେ ଡ଼ମ୍ବୁରୁଧର ଙ୍କ ଅଭିଯୋଗକ୍ରମେ ବୈଶିଙ୍ଘା ଥାନାରେ କେସ ନମ୍ବର 44/9-2-2022 ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ 14 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସରେ ଆବଶ୍ୟକୀୟ ପ୍ରମାଣ ଅଭାବରୁ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତ ପକ୍ଷରୁ ନିର୍ଦୋଷ ରେ ଖଲାସ କରାଯାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ସସ୍ମିତା ମହାପାତ୍ର ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦେଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l