ବାରିପଦା : ଓଡିଶା ସରକାରଙ୍କ ପଞ୍ଚସଖା ଶିକ୍ଷା ସେତୁ ଯୋଜନା ଅନୁଯାୟୀ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ତଥା ବଦାନ୍ୟ ବ୍ୟକ୍ତି ଯେତିକି ପରିମାଣର ଅର୍ଥ ଦାନ କରିବେ ତାର ଦୁଇଗୁଣ ସରକାର ପ୍ରଦାନ କରିଥାନ୍ତି I ଏହି ଅର୍ଥ ସାହାଯ୍ୟରେ ବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ମାନ କରାଯାଇ ସାକାର କରାଯାଇପାରିବ I ଏହି ଧାରାରେ ତତ୍କାଳୀନ ସରକାରଙ୍କ “ମୋ ସ୍କୁଲ ଅଭିଯାନ” ଯୋଜନାରେ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁନ୍ଦର ବଗିଚା, ଛାତ୍ରଛାତ୍ରୀଙ୍କ ପାଇଁ ବେଞ୍ଚ ଡେସ୍କ, ୧ମ ଶ୍ରେଣୀ ପିଲାଙ୍କ ପାଇଁ ସ୍ମାର୍ଟ ଟି ଭି, ପାନୀୟ ଜଳର ବ୍ୟବସ୍ଥା ତଥା ପାଠାଗାର ନିର୍ମାଣ କରି ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିପାରିଥିଲା I ଏହି ପ୍ରକଳ୍ପ ଗୁଡିକର ସଫଳ ରୂପାୟନ ପାଇଁ ରାଜ୍ୟସଭା ସଦସ୍ୟା ମମତା ମହାନ୍ତଙ୍କ ସମେତ ପୂର୍ବତନ ଛାତ୍ର ସଞ୍ଜୟ ପଣ୍ଡା, ସନ୍ତୋଷ ପଟ୍ଟନାୟକ, ଶିକ୍ଷାବିତ ସୂର୍ଯ୍ୟ ନାରାୟଣ ଷଡ଼ଙ୍ଗୀ, ସମାଜସେବୀ ସୁଜିତ ସାହୁଙ୍କ ଦାନ ପ୍ରଶଂସନୀୟ I ପୁଣି ଥରେ ପଞ୍ଚସଖା ଶିକ୍ଷା ସେତୁ ଯୋଜନାରେ ବିଦ୍ୟାଳୟର ବିକାଶ ପାଇଁ ସମାଜସେବୀ ତଥା ଦ୍ରୌପଦୀ ବସ୍ତ୍ରାଳୟର ମଲିକ ସୁଜିତ ସାହୁ ୧ ଲକ୍ଷ ଟଙ୍କା, ବିଦ୍ୟାଳୟରେ ଥିବା ହଷ୍ଟେଲର ସାମୟିକ ଶିକ୍ଷିକା ହରପ୍ରିୟା ବେହେରା ୫, ୮୪୧ ଟଙ୍କା ତଥା ପୂର୍ବତନ ଛାତ୍ରୀ ସୁଜାତା ବେହେରା ୧୦ ହଜାର ଟଙ୍କା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି I ସରକାରଙ୍କ ଅନୁମୋଦନ ପରେ ଯେଉଁ ରାଶିମିଳିବ ସେଥିରେ ବିଦ୍ୟାଳୟ ପାଇଁ ଅନେକ ଗଠନମୂଳକ କାର୍ଯ୍ୟ କରାଯାଇପାରିବ ବୋଲି ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ପ୍ରକାଶ କରିଛନ୍ତି I

