ଭୁବନେଶ୍ୱର (୧୭।୨): ଓଡ଼ିଆ ସାହିତ୍ୟ ଜଗତର ଜଣେ ଅଜାତଶତ୍ରୁ ତଥା ନିରଳସ ସାରସ୍ବତ ସାଧକ ଭାବେ ଡ. ସାତକଡ଼ି ହୋତା ସର୍ବଦା ସ୍ମରଣୀୟ ହୋଇ ରହିବେ। ନିଜର ପ୍ରାରମ୍ଭିକ ଜୀବନରେ ନାନା ଘାତପ୍ରତିଘାତ ଓ ଦୁଃଖକଷ୍ଟ ସହି ସେ ପରବର୍ତ୍ତୀ ସମୟରେ ଭାରତୀୟ ରେଳବାଇର ସର୍ବୋଚ୍ଚ ପଦବୀ ମଣ୍ଡନ କରିଥିଲେ ହେଁ ସାହିତ୍ୟ ସାଧନାରୁ କେବେ ହେଲେ ବିଚ୍ୟୁତ ହୋଇନଥିଲେ। ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ୨୫ଟି କାଳଜୟୀ ଉପନ୍ୟାସ ସହିତ ଶହ ଶହ ଗଳ୍ପ ଓ ପ୍ରବନ୍ଧ ଭେଟି ଦେଇ ସେ ନିଜର ଅଗାଧ ପାଣ୍ଡିତ୍ୟ ପ୍ରତିପାଦିତ କରିଛନ୍ତି। ସାହିତ୍ୟ ସାଧନା ସହିତ ସାମ୍ବାଦିକତା ଏବଂ ସମ୍ପାଦନା କ୍ଷେତ୍ରରେ ମଧ୍ୟ ତାଙ୍କର ଦକ୍ଷତା ଅତୁଳନୀୟ ଥିଲା ବୋଲି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ‘ସାତକଡ଼ି ହୋତା ସ୍ମୃତି ସଂସଦ’ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।


‘ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶରେ ଲେଖକଙ୍କ ଭୂମିକା’ ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏହି ସାରସ୍ବତ ସମାରୋହରେ ଅନୁଷ୍ଠାନର ସଭାପତି ତଥା ପଦ୍ମଶ୍ରୀ ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର ପୌରୋହିତ୍ୟ କରିଥିବା ବେଳେ ସ୍ମୃତି ସଂସଦର ସମ୍ପାଦକ ତଥା ବରିଷ୍ଠ ସାରସ୍ବତ ସଂଗଠକ ରମାକାନ୍ତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସାହିତ୍ୟିକ ପୀତବାସ ରାଉତରାୟ କହିଲେ ଯେ, ଡ. ସାତକଡ଼ି ହୋତା ନିଜେ ଏକ ଅନୁଷ୍ଠାନ ଥିଲେ ଏବଂ ସାହିତ୍ୟର ପ୍ରତ୍ୟେକ ବିଭାଗରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ତାଙ୍କର ପ୍ରତ୍ୟେକଟି ଲେଖା ଉଚ୍ଚକୋଟିର ଓ ଜୀବନଧର୍ମୀ ଥିଲା। ଏହି ଅବସରରେ ଶ୍ରୀ ରାଉତରାୟ ଡ. ହୋତାଙ୍କ କିଛି ସ୍ମରଣୀୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ସମ୍ବାଦପତ୍ର ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଆଲୋଚନା ଚକ୍ରକୁ ଉଦ୍ଘାଟନ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଲେ ଯେ, ଡ. ହୋତା ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଏବଂ ଓଡ଼ିଆ ସାହିତ୍ୟ ଜଗତରେ ସେ ଏକ ଅମଳିନ ପ୍ରତିଭା। ଏଭଳି ଜଣେ ଯୋଗଜନ୍ମା ପୁରୁଷଙ୍କ ପାଇଁ ଓଡ଼ିଶା ମାଟି ସଦା ସର୍ବଦା ଗର୍ବିତ। ପୁସ୍ତକ ରଚନା ସହିତ ବିଭିନ୍ନ ଖବରକାଗଜରେ ପ୍ରକାଶିତ ତାଙ୍କର ସ୍ତମ୍ଭଗୁଡ଼ିକୁ ପଢ଼ିବା ପାଇଁ ପାଠକମାନେ ଚାହିଁ ରହୁଥିଲେ। ତାଙ୍କ ଲେଖାର ପ୍ରଭାବ ଉଭୟ ସାହିତ୍ୟିକ ଓ ରାଜନୈତିକ ମହଲରେ ବେଶ୍ ଅନୁଭୂତ ହେଉଥିଲା।
ସଭାପତି ଡ. ମହାପାତ୍ର ତାଙ୍କ ଅଭିଭାଷଣରେ ସାତକଡ଼ି ବାବୁଙ୍କ ସାରସ୍ବତ କୃତି ସହ ଓଡ଼ିଶାରେ ରେଳବାଇର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ। ସୁଦୂର କଲିକତାରେ କର୍ମମୟ ଜୀବନ ବିତାଉଥିଲେ ମଧ୍ୟ ସେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ନିରନ୍ତର ସମୟ ଦେଉଥିଲେ। ଅନ୍ୟତମ ବକ୍ତା ଭାବେ ବରିଷ୍ଠ ସ୍ତମ୍ଭକାର ଇଂ. ହରିହର ତ୍ରିପାଠୀ ଓ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପଛରେ ସାତକଡ଼ି ବାବୁଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ। ଏଥିସହିତ ଡ. ହୋତାଙ୍କ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ତାଙ୍କର ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ବୈଠକରେ ଦାବି କରାଯାଇଥିଲା।
ଆଲୋଚକ ଭାବରେ ପ୍ରଭାତ କୁମାର ନନ୍ଦ, ଆରତୀ କର, ଅମୀୟ କୁମାର ପଟ୍ଟନାୟକ, ପ୍ରାଣେଶ୍ୱର ମିଶ୍ର, ସୁବାସଚନ୍ଦ୍ର ସାହୁ, ପରମେଶ୍ୱର ମିଶ୍ର, ପ୍ରଦୀପ କୁମାର ବେଉରିଆ ଏବଂ ବୈଜ୍ଞାନିକ ଅଶୋକ କୁମାର ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଗୀତା ତ୍ରିପାଠୀ ଓ ରଶ୍ମିତା ରାଉତ ଭଜନ ଗାନ କରିଥିଲେ। ଏହି ବିଶେଷ ଅବସରରେ କଳା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ଅସୀମା ସାହୁ, ରବୀନ୍ଦ୍ର କୁମାର ପଣ୍ଡା, କାଳିନ୍ଦୀ ଭଞ୍ଜ, ସୀତାକାନ୍ତ ଦାଶ, ରେଣୁବାଳା ମହାପାତ୍ର ଓ ମୀରା ସେଠ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ନିହାରିକା ମିଶ୍ର ଓ ରଜନୀକାନ୍ତ ମିଶ୍ର ମାନପତ୍ର ପାଠ କରିଥିଲେ | ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁକାନ୍ତ ପ୍ରଧାନ ନିଜର ବକ୍ତବ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ | ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ‘ଅମୃତାୟନ’ର ପରିଚାଳକ ବିଜୟ କୁମାର ତ୍ରିପାଠୀ, କୈଳାସ ଚନ୍ଦ୍ର ରଥ, ପ୍ରଜାରଞ୍ଜନ ସାମନ୍ତରାୟ, ବିରଜା ପ୍ରସାଦ ଶତପଥି ଓ ଶ୍ରୀବାସ ମହାପାତ୍ର ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ। ଏହି ଆଲୋଚନା ଚକ୍ରରେ ସହରର ବହୁ ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିବା ବେଳେ ସାତକଡ଼ି ହୋତାଙ୍କ ‘ଫୋଟୋ ସମ୍ଭାର’ର ଦ୍ୱିତୀୟ ଭାଗ ଏବଂ ସାରସ୍ବତ ପତ୍ରିକା ‘ମୈତ୍ରୀ’ ଉନ୍ମୋଚିତ ହୋଇଥିଲା।

