ଗରଦପୁର (କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବାମରା ଅଞ୍ଚଳର ଜୀବନରେଖା ପାଇକା ନଦୀର ସୁରକ୍ଷା, ଏହାର ମହାନ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ତିନି ଦିନିଆ ‘ଆଞ୍ଚଳିକ ପାଇକା ମହୋତ୍ସବ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନଦୀର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ଥିବାବେଳେ, ଚଳିତ ବର୍ଷ ଏହି ଦ୍ୱିତୀୟ ବାର୍ଷିକ ଉତ୍ସବକୁ ନଦୀକୂଳବର୍ତ୍ତୀ ବାସିନ୍ଦା ବେଶ୍ ଉତ୍ସାହର ସହ ପାଳନ କରିଛନ୍ତି। ଏହି ମହୋତ୍ସବର ପ୍ରଥମ ଦିବସରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଡ. ମନିଷା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପାଇକା ନଦୀର ସୁରକ୍ଷା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିବା ସହ ନଦୀକୂଳରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିଜକୁ ଏହି ସୁରକ୍ଷା ଅଭିଯାନ ସହିତ ଜଡ଼ିତ କରିବାକୁ ସେ ନିଜ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ।
ଏହି ସାରସ୍ବତ ସମାରୋହରେ ବାୟା ଅବଧୂତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇ ପାଇକା ନଦୀର ପ୍ରାଚୀନ ଇତିହାସ ଓ ଏହାର ସମୃଦ୍ଧ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅତୀତରେ ଓଡ଼ିଶାର ସାଧବ ପୁଅମାନେ ଏହି ନଦୀ ପଥ ଦେଇ କିପରି ଦେଶବିଦେଶକୁ ବାଣିଜ୍ୟ କରୁଥିଲେ ଏବଂ ଏହାର ଐତିହାସିକ ରୂପରେଖ କିପରି ଗୌରବମୟ ଥିଲା, ସେ ସମ୍ପର୍କରେ ସେ ବିଶଦ ଭାବେ ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସଂସ୍କୃତ ଭାଷାବିତ୍ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଆରତୀ ତ୍ରିପାଠୀ ଯୋଗଦେଇ ନିଜର ସୁଲଳିତ କବିତା ମାଧ୍ୟମରେ ପାଇକା ନଦୀର ମାହାତ୍ମ୍ୟ ଓ ଗୁଣଗାନ କରିଥିଲେ। ମହୋତ୍ସବ କମିଟିର ସମ୍ପାଦକ ତଥା ଶିକ୍ଷାବିତ୍ ରମାକାନ୍ତ ଲେଙ୍କା ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଉତ୍ସବକୁ ସାଫଲ୍ୟମଣ୍ଡିତ କରିବା ପାଇଁ ସମସ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଥିଲେ।
ଅନୁଷ୍ଠାନର ସଭାପତି ଦୁର୍ଯ୍ୟୋଧନ ମହାନ୍ତି ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ବିଗତ ଦୁଇ ବର୍ଷ ଧରି ଏହି ମହୋତ୍ସବ କିପରି ସଫଳତାର ସହ ଆୟୋଜିତ ହୋଇଆସୁଛି, ସେ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହିତ ଏହି ମହୋତ୍ସବର ମୁଖ୍ୟ ସୂତ୍ରଧର ମୁକ୍ତିରଞ୍ଜନ ମଲ୍ଲଙ୍କ ନିରନ୍ତର ନିଷ୍ଠା ଓ ପ୍ରଚେଷ୍ଟାକୁ ସେ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜନଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ମାଧବାନନ୍ଦ ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରମୋଦ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବିଶାଳ ଆୟୋଜନକୁ ସଫଳ କରିବାରେ ଫକୀର ଚରଣ ବେହେରା, ଶ୍ରୀପତି ଲେଙ୍କା, ଅମୂଲ୍ୟ ପାଳ, ଦିଲ୍ଲୀପ କୁମାର ସେଠୀ, ଉମେଶଚନ୍ଦ୍ର ଜେନା, ରଞ୍ଜନ ରାଉତରାୟ, ସମୀର ସ୍ୱାଇଁ, ପ୍ରମୋଦ ମଲ୍ଲ, ପ୍ରେମାନନ୍ଦ ମଲ୍ଲିକ ଓ ଗଣେଶ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ସଭା ପରେ ପରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରମାନେ ନିଜର କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

