ବାରିପଦା.: ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେନ୍ଦ୍ର ନାଥ ସାମଲଙ୍କ ଅବସର ଗ୍ରହଣ ପୂର୍ବକ ଏକ ଭାବାବେଗ ବିଦାୟ କାଳୀନ କାର୍ଯ୍ୟକ୍ରମ ବ୍ୟାଙ୍କ ପରିସରରେ ଆୟୋଜିତ ହୋଇଥିଲା। ଏହି ଅବସରରେ ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ବଡ଼ଜେନାଙ୍କୁ ତାଙ୍କର କାର୍ଯ୍ୟଭାର ଗ୍ରହଣ ଅବସରରେ ସୁସ୍ୱାଗତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି ସଭାପତିତ୍ୱ କରିଥିଲେ। ନିର୍ଦ୍ଦେଶକ ମଣ୍ଡଳୀର ମଳୟ କୁମାର ଜେନା, ଅଭିନ୍ନ ସୁନ୍ଦର ପାତ୍ର, ବିରେନ୍ଦ୍ର ନାଥ ବସା, ଦ୍ରୌପଦୀ ସାହୁ, ମୋହନ ଚରଣ ବେହେରା, ତପନ କୁମାର ପତି, ସୁନାରାମ ମାରାଣ୍ଡି, ପୂର୍ଣ୍ଣ ହେମ୍ବ୍ରମ ଓ ଅନ୍ୟାନ୍ୟ ନିର୍ଦ୍ଦେଶକ ବୃନ୍ଦ ଉପସ୍ଥିତ ଥିଲେ। ବ୍ୟାଙ୍କର ଡି.ଜି.ଏମ୍ ତଥା ବ୍ୟାଙ୍କ ୟୁନିଅନର ସଭାପତି ପ୍ରକାଶ ଚନ୍ଦ୍ର ବାରିକ ସଭା ପରିଚାଳନା କରିଥିଲେ।
ବ୍ୟାଙ୍କ ସମ୍ବନ୍ଧରେ ଆଲୋଚନା କାଳେ ସଭାପତି ଶ୍ରୀ ମହାନ୍ତିଙ୍କ ସହ ପୂର୍ବତନ କର୍ମଚାରୀ ପ୍ରହଲ୍ଲାଦ ଦାସ, ବାଟକୃଷ୍ଣ ପାଢ଼ୀ ଓ ସୁରେଶ ଚନ୍ଦ୍ର ଘୋଷ ବ୍ୟାଙ୍କର ଉନ୍ନତି, ସଫଳତା ଓ ଇତିହାସ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ।
ବକ୍ତାମାନେ ମହେନ୍ଦ୍ର ନାଥ ସାମଲଙ୍କ ଦୀର୍ଘ ବର୍ଷର ସତନିଷ୍ଠାପୂର୍ଣ୍ଣ ସେବା ଓ ସୁଦୃଢ଼ ନେତୃତ୍ୱକୁ ସ୍ମରଣ କରି ତାଙ୍କ ନେତୃତ୍ୱରେ ବ୍ୟାଙ୍କ ଉଲ୍ଲେଖନୀୟ ଅଗ୍ରଗତି କରିଥିବା କଥା ଉଲ୍ଲେଖ କରିଥିଲେ।
ଏହି ଅବସରରେ ବ୍ୟାଙ୍କ ୟୁନିଅନ ତରଫରୁ ସଭାପତି ପ୍ରକାଶ ଚନ୍ଦ୍ର ବାରିକ, କାର୍ଯ୍ୟକାରୀ ସଭାପତି ରବି କୁମାର ଅଗ୍ରୱାଲ, ଉପସଭାପତି ହୀରା ହାଁସଦା, ସମ୍ପାଦକ ସ୍ୱସ୍ତିକ୍ ଜେନାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ଶ୍ରୀ ସାମଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ନୂତନ ସିଇଓ ଶ୍ରୀ ସିଦ୍ଧାର୍ଥ ବଡ଼ଜେନାଙ୍କୁ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ମହେନ୍ଦ୍ର ନାଥ ସାମଲଙ୍କୁ ସମ୍ମାନ ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା। ନିଜ ଅଭିଭାଷଣରେ ଶ୍ରୀ ସାମଲ ସମସ୍ତ ସହକର୍ମୀ ଓ କର୍ମଚାରୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିବା ବେଳେ ନୂତନ ସିଇଓ ଶ୍ରୀ ବଡ଼ଜେନା ବ୍ୟାଙ୍କର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆଶା କରିଥିଲେ।
କାର୍ଯ୍ୟକ୍ରମଟି ଆତ୍ମୀୟତା ଓ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ସଫଳତାର ସହିତ ସାଙ୍ଗ ହୋଇଥିଲା।

