ଭୁବନେଶ୍ୱର: ଓଡ଼ିଆ ସାହିତ୍ୟର ପ୍ରାଣପ୍ରତିଷ୍ଠାତା, ଶୂଦ୍ରମୁନି ଆଦିକବି ଶାରଳା ଦାସଙ୍କ ପବିତ୍ର ପୂଣ୍ୟ ତିଥି ଅବସରରେ ଏକ ଭବ୍ୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ‘ଆଦିକବି ସାରଳା ଦାସ ବିକାଶ ପରିଷଦ, ଓଡ଼ିଶା’ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ।


କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ପର୍ଶୁରାମ ଦ୍ବିବେଦୀ ଯୋଗଦେଇଥିବା ବେଳେ ବରିଷ୍ଠ ଲେଖକ ମନୋଜ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ ଜଗବନ୍ଧୁ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଆଲୋଚନା ପ୍ରସଙ୍ଗରେ ଅତିଥିମାନେ ସାରଳା ମହାଭାରତ, ବିଲଙ୍କା ରାମାୟଣ ଏବଂ ଚଣ୍ଡୀ ପୁରାଣର କାଳଜୟୀ ରଚନାବଳୀ ଉପରେ ସୁବିସ୍ତୃତ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ନିଜ ଅଭିଭାଷଣରେ କହିଥିଲେ ଯେ, “ସାରଳା ସାହିତ୍ୟ ହେଉଛି ଓଡ଼ିଆ ଜାତିର ଜୀବନ ବେଦ। ଏହା କେବଳ କାବ୍ୟ ନୁହେଁ, ବରଂ ଓଡ଼ିଆ ଅସ୍ମିତାର ପରିଚୟ।” ଏହି ମହାନ୍ ସାହିତ୍ୟକୁ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ସ୍ତରର ପାଠ୍ୟକ୍ରମରେ ସ୍ଥାନିତ କରିବା ସହ ଏହାର ବ୍ୟାପକ ପ୍ରଚାର ପ୍ରସାର କରିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜର ବକ୍ତବ୍ୟରେ କହିଥିଲେ ଯେ ସାରଳା ଦାସ ହିଁ ଓଡ଼ିଆ ଭାଷା ଓ ସାହିତ୍ୟକୁ ପ୍ରଥମେ ସର୍ବଭାରତୀୟ ସ୍ତରରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଥିଲେ।


ସଭା ଆରମ୍ଭରେ ସଂପାଦକ ସୁକାନ୍ତ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆବାହକ ବିଶିଷ୍ଟ ସାରସ୍ବତ ସଂଗଠକ ରମାକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରି ସୁଚାରୁ ରୂପେ ସଭା ପରିଚାଳନା କରିଥିଲେ। ସୁରେଶ ଚନ୍ଦ୍ର ମହାନ୍ତି ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଇଂ. ଲଡ଼ୁକିଶୋର ପଢିହାରୀ, ସଙ୍ଗୀତା ତ୍ରିପାଠୀ, ଅନିମେଷ ଅନୁପମ ଏବଂ ରଶ୍ମିତା ରାଉତଙ୍କ ଦ୍ୱାରା ପରିବେଷିତ ଭକ୍ତିପୂତ ଭଜନ ସଭାଗୃହରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଏହି ଅବସରରେ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଗାମୀ ଦିନରେ ସାରଳା ସାହିତ୍ୟର ସୁରକ୍ଷା ପାଇଁ ପ୍ରତି ମାସରେ ଏକ ଆଲୋଚନାଚକ୍ର ଆୟୋଜନ କରିବାକୁ ପରିଷଦ ପକ୍ଷରୁ ସଂକଳ୍ପ ନିଆଯାଇଛି।
ସମାଜସେବା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସଭାରେ ଇଂ. ଭକ୍ତିରଞ୍ଜନ ମହାନ୍ତି, ଅକ୍ଷୟ କୁମାର ପରିଜା ଏବଂ ସାରଦା ଚରଣ ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଥିଲା। ଆରତୀ କର ମାନପତ୍ର ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଇଂ. ସୁବାସ ଚନ୍ଦ୍ର ସାହୁ, ଶିକ୍ଷୟିତ୍ରୀ ସୁଷମା ମହାପାତ୍ର, ମମତା ପ୍ରଧାନ, ବିରଜା ପ୍ରସାଦ ଶତପଥି, କୈଳାସଚନ୍ଦ୍ର ରଥ ଏବଂ ପ୍ରଭାତ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଇଂ. ହରିହର ତ୍ରିପାଠୀ ସମସ୍ତ ଅତିଥି ଓ ଶ୍ରୋତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

