ବାରିପଦା : ୭ ନଭେମ୍ବର ୨୦୨୫ ଠାରୁ ୭ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବର୍ଷ ବ୍ୟାପୀ,ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ର ୧୫୦ତମ ବାର୍ଷିକୀ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ଗୀତ ” ବନ୍ଦେ ମାତରମ”ର ସାମୂହିକ ଗାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ରାଷ୍ଟ୍ର ଚେତନାକୁ ଜାଗ୍ରତ କରୁଥିବା ଭାବପୂର୍ଣ୍ଣ ରାଷ୍ଟ୍ରୀୟ ବନ୍ଦନାକୁ ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରି ଶ୍ରଦ୍ଧାର ସହିତ ସମସ୍ତେ ସମୂହ ଭାବେ ଗାନ କରିଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀ ସୟ, ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆତ୍ମ ନିର୍ଭର ଭାରତ ଗଠନ ନେଇ ସ୍ବଦେଶୀ ସଂକଳ୍ପ ପତ୍ର ଶପଥ ପାଠ କରାଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି ଅମର କୃତୀ ୧୮୭୫ ମସିହା ନଭେମ୍ବର ୭ ତାରିଖରେ ‘ବଙ୍ଗଦର୍ଶନ’ ନାମକ ସାହିତ୍ୟିକ ପତ୍ରିକାରେ ପ୍ରଥମେ ପ୍ରକାଶିତ ହୋଇଥିଲା। ପରେ ସେ ଏହାକୁ ତା’ଙ୍କ ଅମର ଉପନ୍ୟାସ ‘ଆନନ୍ଦମଠ’ ରେ ସମ୍ମିଳିତ କରିଥିଲେ। ପରବର୍ତ୍ତୀ ସମୟରେ ବଙ୍କିମ ଚନ୍ଦ୍ରଙ୍କ ଏହି ଅମର କୃତୀକୁ ଆମ ଦେଶର ରାଷ୍ଟ୍ରୀୟ ଗୀତ ଭାବେ ଅଙ୍ଗିକାର କରାଯାଇଥିଲା।
‘ବନ୍ଦେ ମାତରମ୍’ ଗୀତ ଭାରତର ଭୌଗଳିକ ସୌନ୍ଦର୍ଯ୍ୟ, ସଭ୍ୟତା, ରାଜନୈତିକ ଓ ସାଂସ୍କୃତିକ ଚେତନାର ଏକ ଅଭିନ୍ନ ଅଂଶ ।
ଆଜିର ଏହି ସମୂହ ରାଷ୍ଟ୍ରୀୟ ସଂଗୀତ ଗାନ ଅବସର ଆମ ସମସ୍ତଙ୍କୁ ଏହି ଅମର ସଙ୍ଗୀତର ନିରନ୍ତର ବାର୍ତ୍ତା — ଏକତା, ତ୍ୟାଗ ଓ ଦେଶ ଭକ୍ତିର ଆଦର୍ଶ ପ୍ରତି ପୁନର୍ବାର ସମର୍ପିତ ହେବା ପାଇଁ ଜାଗ୍ରତ କରିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହିତ ଏକ ଆତ୍ମ ନିର୍ଭର ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବ ଶକ୍ତିହିଁ ମୁଖ୍ୟ ଭୂମିକା ନିର୍ବାହ କରିଥାଏ ବୋଲି କହିଥିଲେ ଏବଂ ସମସ୍ତଙ୍କୁ ସ୍ବେଦେଶୀ ଉତ୍ପାଦ ବ୍ୟବହାର ପାଇଁ ଆହ୍ୱାନ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ଃ ଶୁଭାଶିଷ ନାୟକ ପରିଚାଳନା କରିଥିଲେ।

