ବାରିପଦା : ବିଶିଷ୍ଟ ଆଇନଜୀବୀ, ସମାଜସେଵୀ, ଦକ୍ଷ ସଂଗଠକ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ପ୍ରାକ୍ତନ ସାଧାରଣ ସମ୍ପାଦକ ଅରବିନ୍ଦ ଦାସ (ଗାନ୍ଧୀ ବାବୁ)ଙ୍କ ଦେହାନ୍ତ ଖବର ପାଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିଲା I ଖବର ପାଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଓ ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ବରିଷ୍ଠ ସଦସ୍ୟ ଜୀବନ କୁମାର ସାହୁ, ନିମାଇଁ ଚନ୍ଦ୍ର ଜେନା, ଲଲାଟେନ୍ଦୁ ବେହେରା, ବ୍ରଜ ରଞ୍ଜନ ପରିଛା, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସହ ସମ୍ପାଦକ ଅମର କୁମାର ସେଠୀ, ରବୀନ୍ଦ୍ର କୁମାର ମହାନ୍ତି, ଅମ୍ବିକା ରାଉତ ସଦସ୍ୟ ପ୍ରମୁଖ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ତତସହିତ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ପାତାକାକୁ ତାଙ୍କ ମରଶରୀର ଉପରେ ରଖି ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା I ପ୍ରକାଶ ଥାଉକି ଦୀର୍ଘ ବର୍ଷଧରି ଏସୋସିଏସନ ସହିତ ଜଡିତ ରହି ସ୍ୱର୍ଗତ ଅରବିନ୍ଦ ଦାସ କ୍ରୀଡାର ବିକାଶ ପାଇଁ ନିରନ୍ତର ପ୍ରୟାସ କରିଥିଲେ I ତତ୍କାଳୀନ ଜିଲ୍ଲାପାଳ ସି ଟି ଏମ ସୁଗୁଣା ୨୦୦୫ ମସିହାରେ ପୁରୁଣା ଏସୋସିଏସନକୁ ଭାଙ୍ଗି ନୂତନ ସଭ୍ୟ ଗ୍ରହଣ କରିବା ପରେ ନିର୍ବାଚନ ପ୍ରକ୍ରିୟାରେ ନୂତନ ବଡି ଗଠନ ହୋଇଥିଲା I ସେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇ ୨୦୦୯ ମସିହା ପର୍ଯ୍ୟନ୍ତ ସୁସଂଗଠିତ ଭାବେ କ୍ରୀଡାର ବିକାଶ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଇଥିଲେ I ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଖେଳକୁଦ ପ୍ରତିଯୋଗିତା ଉଲ୍ଲେଖନୀୟ I ପରବର୍ତ୍ତୀ କର୍ମକର୍ତ୍ତା ମାନେ ଜିଲ୍ଲାରେ କ୍ରୀଡା ସହ ବାରିପଦା ଷ୍ଟାଡିୟମର ବିକାଶ କ୍ଷେତ୍ରରେ ଉନ୍ନତି ପାଇଁ ସଦାସର୍ବଦା ତାଙ୍କର ଉପଦେଶ ଲୋଡୁଥିଲେ I ତାଙ୍କର ଦେହାନ୍ତ ପରେ ମୟୁରଭଞ୍ଜ କ୍ରୀଡା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ବରିଷ୍ଠ ସଦସ୍ୟ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I

