ବାରିପଦା: ଆଜି ରବିବାର ଦିନ ପୂର୍ବାହ୍ନ ୮.୩୦ମି. ରୁ ଆରମ୍ଭ ହୋଇ ଅପରାହ୍ନ ୨.୦୦ ଘଟିକା ପର୍ଯ୍ୟନ୍ତ ବେତନଟୀ ସ୍ଥିତ ବେତନଟୀ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ କିଶୋର କୁମାର ମହାନ୍ତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସଞ୍ଜୟ କୁମାର ଚୌଧୁରୀ ଯୋଗ ଦେଇ ଯୁବକ ମାନଙ୍କୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଚାରଧାରାରେ ଉଦବୁଦ୍ଧ ହୋଇ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତା ଭାବେ ପ୍ରାନ୍ତ ସମ୍ପର୍କ ପ୍ରମୁଖ ସର୍ବେଶ୍ଵର ବେହେରା ଯୋଗଦେଇ ସ୍ୱାଧୀନତାରୁ ସ୍ୱତନ୍ତ୍ରତା ଓ ସ୍ୱାବଲମ୍ୱନ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଭାଗ ପ୍ରଚାର ପ୍ରମୁଖ ତୁଷାର କାନ୍ତି ମହାନ୍ତ ଯୋଗ ଦେଇ ଭାରତର ଗୌରବମୟ ଇତିହାସ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ସମ୍ମିଳନୀରେ ବାପି ଭାଇ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଗଜେନ୍ଦ୍ର ଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବେତନଟୀ ଖଣ୍ଡ ସଂଘଚାଳକ ମାନନୀୟ ଗନ୍ଧମାର୍ଦନ ଦେହୁରୀ ପୂର୍ଣ୍ଣ ସମୟ ଉପସ୍ଥିତ ଥିଲେ। ଉକ୍ତ ସମ୍ମିଳନୀର ଅୟମାରମ୍ଭରେ ପ୍ରଦର୍ଶିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୀଲ ଭାଇ ପରିଚାଳନା କରିଥିଲେ। ଯୁବକମାନଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ୩୦୦ରୁ ଉର୍ଦ୍ଧ୍ବ ଯୁବ ବନ୍ଧୁମାନେ ଯୋଗଦେଇଥିଲେ। ଏହି ଅବସରରେ ସଞ୍ଜୟ କୁମାର ଚୌଧୁରୀଙ୍କ ଦ୍ୱାରା ସଂଙ୍କଳିତ ଲୋକ କାହାଣୀ “ଜୀବନ ମନ୍ତ୍ର” ପୁସ୍ତକ ଉନ୍ମୋଚନ କରାଯାଇଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୬ ଜଣ ଏବଂ ସମାଜ ସେବା ଓ ବୃକ୍ଷ ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଗ୍ରିଆ ସ୍ଥିତ ବୀଣାପାଣି କ୍ଲବ୍ରକୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସମ୍ମିଳନୀ ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ସଫଳ ହୋଇଥିଲା।

