ବାରିପଦା :ସ୍ଥାନୀୟ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୨ୟ ସନ୍ଧ୍ୟାରେ ଥିଆଲାଇଟ, କୋଲକାତା ପ୍ରଯୋଜିତ ନାଟକ “ଚୁୟା ଚନ୍ଦନ” ମଞ୍ଚସ୍ଥ ହୋଇଯାଇଛି I ଅତନୁ ସରକାରଙ୍କ ନିର୍ଦ୍ଦେଶିତ ନାଟକରେ ରାଜୀବ ବର୍ଦ୍ଧନ, ପ୍ରବୀର ଆଦିତ୍ୟ, ସମ୍ପା ଦାସ ସରକାର, ଦେବବ୍ରତ ଦାସ, ଆଇସିକି ଘଟକ, ସୌତୀନ୍ଦ୍ର କ୍ରିଷ୍ଣା ଦେବ, ସାମସନ ମାଥିର ଚକ୍ରବର୍ତ୍ତୀ, ସଙ୍କୁ କୁମାର ଦାସ, ଉତ୍ପଲ ରାଜାକ, ସୁକୁମାର ଦାସ, ପରୋମିତା ଦାସ, ସ୍ୱାତୀ ଚକ୍ରବର୍ତ୍ତୀ, ତନ୍ଦ୍ରା ଚୌଧୁରୀ, ସାୟନ୍ତାନ ମିତ୍ର ଓ ଅଲନକ୍ରିତା ସରକାର ଅଭିନୟ କରିଥିଲେ I କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା ନାଟକ ମହୋତ୍ସବର ସଫଳତା କାମନା କରିଥିଲେ I ସଂସ୍ଥାର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସମ୍ପାଦକ ସତ୍ୟନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I ଅପୂର୍ବା ସାହୁ ଓ ଶୁଭେନ୍ଦୁ ସାହୁ ମଞ୍ଚ ପରିଚାଳନା କରିଥିଲେ I ଗତକାଲି ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା I ଆଜି ସକାଳେ ପ୍ରଥମେ ଯୋଗାସନ ଓ ପରେପରେ ଜିଲ୍ଲା ସ୍ତରୀୟ କନିଷ୍ଠ ବର୍ଗର ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଆସନ୍ତାକାଲି ମିରର ଥିଏଟର, ବେଲପାହାଡ ପ୍ରଯୋଜିତ ସମ୍ବଲପୁରୀ ନାଟକ “ଲାଲ ପାଏନ” ପରିବେଷିତ ହେବ I
