Photo for the news of post office

ଭଡ଼ାରେ ଚାଲିଛି ଡ଼ାକଘର, ବିଟିପୁର ଉପଡ଼ାକଘର ନିର୍ମାଣ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପଡ଼ିବ କେବେ ?

ରାଜ୍ୟ

ତହସିଲଦାରଙ୍କ କାର୍ଯ୍ୟପନ୍ଥାକୁ ନେଇ ପ୍ରଶ୍ନବାଚୀ
ଆଗରପଡ଼ା:ଆଗରପଡ଼ା ସ୍ଥିତ ବିଟିପୁର ଉପଡ଼ାକଘରର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ବନ୍ତ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଭଦ୍ରକ ପୋଷ୍ଟାଲ ଅଧୀକ୍ଷକଙ୍କୁ ଆବଶ୍ୟକୀୟ କାଗଜପତ୍ର ପ୍ରେରଣ ପାଇଁ ପତ୍ର ଲେଖାଯାଇଥିଲା । ପୋଷ୍ଟାଲ ଅଧୀକ୍ଷକଙ୍କ ତରଫରୁ ବନ୍ତ ତହସିଲ କାର୍ଯ୍ୟାଳୟକୁ ଆବଶ୍ୟକୀୟ କାଗଜପତ୍ର ପ୍ରେରଣକୁ ଇତି ମଧ୍ୟରେ ମାସାଧିକ କାଳ ବିତି ଯାଇଥିଲେ ସୁଦ୍ଧା ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସ୍ଥାୟୀ ଗୃହ ନିର୍ମାଣ ପ୍ରସଙ୍ଗରେ ବିଳମ୍ବ ଘଟୁଥିବା ଜଣାପଡ଼ିଛି । ତହସିଲ ପକ୍ଷରୁ ସ୍ଥାୟୀ ଗୃହ ନିର୍ମାଣରେ ଆଉ କୌଣସି କାଗଜପତ୍ରର ଆବଶ୍ୟକତା ଯଦି ରହିଛି ତେବେ ଉକ୍ତ କାଗଜପତ୍ରକୁ ତହସିଲଦାର କାର୍ଯ୍ୟାଳୟ ପତ୍ର ମାଧ୍ୟମରେ ପୋଷ୍ଟାଲ ଅଧୀକ୍ଷକଙ୍କ ଠାରୁ ଗ୍ରହଣ କରିପାରିବେ କିନ୍ତୁ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ନିତ କରିବା ପରିବର୍ତ୍ତେ ଏଥିରେ ବିଳମ୍ବ କରୁଥିବାରୁ ଏହା ତାଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । କାଗଜପତ୍ର ବିନିମୟକୁ ଇତି ମଧ୍ୟରେ ୮ବର୍ଷ ପୂରିବାକୁ ବସିଥିବାରୁ ବିଟିପୁର ଉପଡ଼ାକଘର ନିର୍ମାଣ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପଡ଼ିପାରୁନଥିବାରୁ ଏହା ତହସିଲଦାରଙ୍କ କାର୍ଯ୍ୟପନ୍ତା ଏବଂ ତହସିଲ କାର୍ଯ୍ୟାଳୟର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଠାରେ ପ୍ରକାଶ ଥାଉକି;୨୦୧୮ ମସିହାରେ ବନ୍ତ ତହସିଲ କାର୍ଯ୍ୟାଳୟ ତରଫରୁ ବିଟିପୁର ମୌଜାର ଖତିଆନ ନଂ ୨୬୮/୧ ଯାହାକି ଆବାଦ ଯୋଗ୍ୟ ଅନାବାଦି ଜାଗାର ପ୍ଲଟ ନଂ ୭୦୨/୯୪୨ ଓ ୭୦୪/୯୪୩କୁ ଘରବାରି କରି ବିଟିପୁର ଉପଡ଼ାକଘର ପାଇଁ ସଂରକ୍ଷିତ ବୋଲି ଦର୍ଶାଯାଇ ତହସିଲଦାରଙ୍କ ଅନୁମେ।।ଦନ ସହ ଡ଼ାକବିଭାଗକୁ ହସ୍ତାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ସ୍ଥାନ ଉପରେ ସ୍ଥାୟୀ ଗୃହ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ତହସିଲ ସହ ଯୋଗାଯୋଗ କରିବାରୁ ଉକ୍ତ ସ୍ଥାନ ଉପଡ଼ାକଘର ପାଇଁ ଉଦ୍ଦିଷ୍ଟ ନଥିବା ସେମାନେ ଜାଣିବାକୁ ପାଇଥିଲେ । ଯାହାକି ଏକ ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ଦୀର୍ଘ ୭ବର୍ଷ ପରେ ତହସିଲ କାର୍ଯ୍ୟାଳୟ ତରଫରୁ ପୂର୍ବରୁ ପ୍ରଦାନ କରାଯାଇଥିବା ସ୍ଥାନ ଡ଼ାକବିଭାଗର ବୋଲି ଦର୍ଶାଯାଇ ଏହା ଉପରେ ସ୍ଥାୟୀ ଗୃହ ନିର୍ମାଣ ପାଇର୍ ଆବଶ୍ୟକ କାଗଜପତ୍ର ପ୍ରେରଣ ପାଇଁ ଭଦ୍ରକ ପୋଷ୍ଟାଲ ଅଧୀକ୍ଷକଙ୍କୁ ବନ୍ତ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯାଇଥିଲା । ସୂଚନା ଅନୁଯାୟୀ ପୋଷ୍ଟାଲ ଅଧୀକ୍ଷକ ଆବଶ୍ୟକୀୟ କାଗଜପତ୍ର ତହସିଲକୁ ପ୍ରଦାନ କରିସାରିଥିବା ଜଣାପଡ଼ିଛି । କିନ୍ତୁ ଇତି ମଧ୍ୟରେ ମାସାଧିକ କାଳ ବିତି ଯାଇଥିଲେ ସୁଦ୍ଧା ତହସିଲ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସ୍ଥାୟୀ ଗୃହ ନିର୍ମାଣ ପ୍ରକ୍ରୀୟାରେ ବିଳମ୍ବ ଘଟୁଥିବା ଜଣାପଡ଼ିଛି । କ’ଣ ପାଇଁ ବିଳମ୍ବ ଘଟୁଛି ତାହାର ମଧ୍ୟ କୌଣସି ଲିଖିତ ଅଭିଯୋଗ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଉନାହିଁ । ଯଦ୍ୱାରା ନିଜସ୍ୱ ଗୃହକୁ ଚାହିଁ ବସିଥିବା ଏହି ପୁରାତନ ଡ଼ାକଘରଟି ଆଜି ଯାଏ ଭଡ଼ା ଗୃହରେ ଚାଲିଛି । ନିଜସ୍ୱ ଗୃହ ନଥିବାରୁ ଉକ୍ତ ଡ଼ାକଘର ବାରମ୍ବାର ବିଭିନ୍ନ ଭଡ଼ାଗୃହକୁ ସ୍ଥାନାନ୍ତର ହେଉଛି । ଦୋକାନ ଗୃହ ଉଦ୍ଦେଶ୍ୟରେ ନିର୍ମିତ ଭଡ଼ାଗୃହରେ ବର୍ତ୍ତମାନ ଡ଼ାକଘର ଚାଲିଛି । ଉକ୍ତ ଡ଼ାକଘର ଭଦ୍ରକ,ବାଲେଶ୍ୱର ଓ କେନ୍ଦୁଝର ଏହି ୩ଜିଲ୍ଲାର ମଧ୍ୟଭାଗରେ ଥିବାରୁ ପ୍ରତିମାସ ଏହି ଡ଼ାକଘରେ ପ୍ରାୟ ଏକ କୋଟି ଟଙ୍କାର ଦେଣନେଣ କାର୍ଯ୍ୟ ଚାଲିଛି । ଏବଂ ଏହି ଉପଡ଼ାକଘର ଉପରେ ପ୍ରାୟ ୭ହଜାର ଗ୍ରାହକ ନିର୍ଭର କରିଆସୁଛନ୍ତି । କିନ୍ତୁ ଭଡ଼ା ଗୃହରେ ଏହା ଚାଲିଥିବାରୁ ଗ୍ରାହକମାନେ ଠିକ୍‌ଭାବେ ସେବା ପାଇପାରୁନଥିବାରୁ ଦେଶର ସର୍ବ ବୃହତ୍ତ ଯୋଗାଯୋଗ ବ୍ୟବସ୍ଥା ଭାବେ ପରିଗଣିତ ଡ଼ାକବିଭାଗ ଉପରୁ ଲୋକମାନଙ୍କର କ୍ରମଶଃ ଆସ୍ଥା ହ୍ରାସ ପାଇବାରେ ଲାଗିଛି । ସମଗ୍ର ବନ୍ତ ବ୍ଲକରେ ବନ୍ତ, ବସନ୍ତିଆ ଓ ଆଗରପଡ଼ାରେ ଉପଡ଼ାକଘର ରହିଛି । କେବଳ ବନ୍ତକୁ ଛାଡ଼ି ଦେଲେ ଅନ୍ୟ ଦୁଇଟି ଉପଡ଼ାକଘର ଭଡ଼ାଘରେ ଚାଲିଛି । ବର୍ତ୍ତମାନ ଆଗରପଡ଼ା ଉପଡ଼ାକଘରେ କୋରବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହୋଇଥିବାବେଳେ ଏହା ଅଧିନରେ ୮ଟି ଶାଖା ଡ଼ାକଘର ରହିଥିବା ସ୍ଥଳେ ଗୃହ ସମସ୍ୟା ଯୋଗୁ ଦିନକୁ ଦିନ ଗ୍ରାହକମାନଙ୍କ ଅସନ୍ତୋଷ ଭାବ ବଢିବାରେ ଲାଗିଛି । ତେଣୁ ଉକ୍ତ ଉପଡ଼ାକଘରର ସ୍ଥାୟୀ ଗୃହ ନିର୍ମାଣ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇବା ନିମନ୍ତେ ବନ୍ତ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad