ବାରିପଦା: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସଏଙ୍କ ପୌରୋହିତ୍ୟରେ ଆଜି ସହିଦ ସ୍ମତିଭବନ, ବାରିପଦାଠାରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା–୨୦୨୫ ମହାସମାରୋହରେ ପାଳିତ ହୋଇଅଛି।ଉକ୍ତ କାର୍ୟ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ମାନ୍ୟବର ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝି, ମାନ୍ୟବର ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ଉଦଳା ବିଧାୟକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ମାନ୍ୟବର ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦ ହାଁସଦା, ମାନ୍ୟବର ରାଇରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଯଲେନ ନାଏକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରାରମ୍ଭିକ ଭାଷଣରେ କାର୍ୟ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଅତିଥିମାନେ ତାଙ୍କର ଉଦ୍ବୋଧନାରେ ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନଦାର୍ଶନିକ, ଶିକ୍ଷାବିଦ୍ଡା. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଶିକ୍ଷା ଦର୍ଶନ ଓ ସାଧନା କୁ ସ୍ମରଣ କରିଥିଲେ। ସେମାନେ କହିଥିଲେ ଯେ ରାଧାକୃଷ୍ଣନଜୀଙ୍କ ମତାନୁସାରେ “ଶିକ୍ଷକ ମାନେ କେବଳ ଜ୍ଞାନ ଦାତା ନୁହେଁ, ସମାଜ ଗଠନର ଆଧାର ଶିଳା” ।
ତେଣୁ ଗୁରୁ ଦିବସ ପାଳନ ଦ୍ୱାରା ଶିକ୍ଷକଙ୍କ ପ୍ରତି କୃତଜ୍ଞତା ପ୍ରକାଶ ସହିତ ଗୁରୁ–ଶିଷ୍ୟ ସମ୍ପର୍କର ଗଭୀରତା ଉଦ୍ବୋଧିତ ହୁଏ। ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ଚାରିଟି ଉପଖଣ୍ଡରୁ ଚାରି ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ପ୍ରାଥମିକ ସ୍ତରରୁ ୨୫ଜଣ ଶିକ୍ଷକ ଓ ମାଧ୍ୟମିକ ସ୍ତରରୁ ୪୨ଜଣ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନକରି ସମ୍ମାନିତ କରାଯାଇଛି। ଏହି ପୁରସ୍କାର ଶିକ୍ଷକମାନଙ୍କର ମନୋବଳକୁ ଦୃଢୀଭୂତ କରିବା ସହିତ ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପାରିବେ ।ଏହି ଉତ୍ସବ ଗୁରୁପୂଜନର ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ଗୁରୁ–ଶିଷ୍ୟ ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହେବ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଆକାଡେମିକ) ଶ୍ରୀଯୁକ୍ତ ବିନୋଦ ସିଂ ଧନ୍ୟବାଦ ଅର୍ପଣ କରିଥିବା ସ୍ଥଳେ ଅତିରିକ୍ତ ଜିଲ୍ଲାଶିକ୍ଷାଅଧିକାରୀ (ସ୍କିମ୍) ଶ୍ରୀଯୁକ୍ତ ଶଶିଧର ସିଂ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଆଚାର୍ୟ୍ୟ, ଶିକ୍ଷକ ହରେନ୍ଦ୍ର ମହାନ୍ତ, ପ୍ଲାନିଂ ସଂଯୋଜକ ଶ୍ରୀ ମନୋଜ ଶର୍ମା ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନନରେ ଏହି କାର୍ୟ୍ୟଟି ସମ୍ପାଦନ ହୋଇଥିଲା ।

