ଆଗରପଡ଼ା :ଯୋଗାଯୋଗ କ୍ଷେତ୍ରରେ ଏକଦା ମହାଗୁରୁ ପାଲଟିଥିବା ବିଏସ୍ଏନ୍ଏଲ୍ ଆଗି କୋମାରେ । ବନ୍ତ ବ୍ଳକ ଆଗରପଡ଼ା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ଏହାର ଏକ ଉଦାହରଣ । ଏହି ଏକ୍ସଚେଞ୍ଜ କାର୍ଯ୍ୟକାରୀ ହେବା ପରେ ଲ୍ୟାଣ୍ଡଲାଇନ ଜରିଆରେ ହିତାଧିକାରୀଙ୍କୁ ସଂଯୋଗ ଦିଆଯାଇଥିଲା । ପର୍ଯ୍ୟାୟକ୍ରମେ ଗ୍ରାହକ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା । ପରେ ମୋବାଇଲ ଫୋନର ଯୁଗ ଆରମ୍ଭ ହେବା ପରେ ଲ୍ୟାଣ୍ଡଲାଇନ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଲା । ମୋବାଇଲ ସେବା ଉପଲବ୍ଧ ହେବାପରେ ୨୦୦୮ ମସିହାରେ ଆଗରପଡ଼ାରେ ମୋବାଇଲ ସେବା ଯୋଗାଇଦେବା ପାଇଁ ଟାୱାର ସ୍ଥାପନ କରାଯିବା ସହ ଏହାର ଦାଇତ୍ୱ ଜଣେ ମାତ୍ର ଟିଟିଙ୍କ ହାତରେ ନ୍ୟସ୍ତ କରାଗଲା । ସେ ଉକ୍ତ ଦାଇତ୍ୱକୁ ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ସୂଚାରୁରୂପେ ପ୍ରତିପାଦନ କରି ଆସୁଥିଲେ । ତାଙ୍କ ଅବସର ପରେ ବର୍ତ୍ତମାନ ବିଭାଗ ତରଫରୁ କୌଣସି ସ୍ଥାୟୀ କର୍ମଚାରୀ ନିଯୁକ୍ତି କରାଯାଇନଥିବା ବେଳେ ୫ବର୍ଷ ହେବ ଜଣେ ଦିନ ମଜୁରିଆ ଆଗରପଡ଼ା ଏକ୍ସଚେଞ୍ଜ ଦାଇତ୍ୱ ତୁଲାଇ ଆସୁଛନ୍ତି । ସେ ଉକ୍ତ ଦାଇତ୍ୱ ତୁଲାଇ ଆସୁଥିଲେ ସୁଦ୍ଧା ବିଡ଼ମ୍ବନାର ବିଷୟ ବିଭାଗ ପକ୍ଷରୁ ତାଙ୍କୁ ମାସ ମାସ ଧରି ତାଙ୍କ ପ୍ରାପ୍ୟ ପାଇବାରୁ ବଂଚିତ କରାଯାଉଅଛି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଏହି ବିଷୟରେ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବପର ହୋଇପାରିନଥିଲା । ସେହିଭଳି ମୋବାଇଲ କ୍ଷେତ୍ରରେ ଘରୋଇ କମ୍ପାନୀମାନେ ୨ଜି ନେଟୱାର୍କରୁ ୫ଜି ନେଟୱାର୍କ ଜରିଆରେ ଦ୍ରୁତ ଗତିରେ ଗ୍ରାହକଙ୍କୁ ସେବା ଯୋଗାଉଥିବା ବେଳେ ବିଏସ୍ଏନ୍ଏଲ୍ ସେହି ପୂର୍ବ ୪ଜି ନେଟୱାର୍କ ପ୍ରସାରଣ କରି ଚାଲିଛି । ଫଳରେ ଗ୍ରାହକମାନେ ବିଏସ୍ଏନ୍ଏଲ୍ ପରିବର୍ତ୍ତେ ଘରୋଇ କମ୍ପାନୀ ଯଥା ଜିଓ,ଏୟାରଟେଲ,ରିଲାଏନ୍ସ ଭଳି ଯୋଗାଯୋଗ ସଂସ୍ଥା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ସେହିପରି କିଛି ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କରେ ବିଏସ୍ଏନ୍ଏଲ୍ ଲିଜ ଲାଇନ ବ୍ୟବହାର ହେଉଥିବା ବେଳେ ଳ୍ୟାଣ୍ଡଲାଇନ ଆଉ ନାହିଁ କହିଲେ ଚଳେ । ଅପରପକ୍ଷରେ ଏକ୍ସଚେଞ୍ଜରେ ଥିବା ଜେନେରେଟର ବିଦ୍ୟୁତ୍ ସରବରାହରରେ ବ୍ୟାଗାତ ହେଲେ ଅଚଳ ହୋଇପଡ଼ୁଛି । ଜେନେରେଟର ଅଛି କିନ୍ତୁ କରେଣ୍ଟ ଗଲେ ବିଭାଗ ତରଫରୁ ତେଲ ପ୍ରଦାନ କରାଯାଉନଥିବାରୁ ସେ କାର୍ଯ୍ୟରେ ଲାଗି ପାରୁନଥିବା ଜଣାପଡ଼ିଛି । ନେଟୱାର୍କ ଯନ୍ତ୍ର କାମକରୁନାହିଁ କିମ୍ବା ଖରାପ ହେଲେ ସଜାଡ଼ିବାକୁ ଦିନରାତି ବିତି ଯାଉଛି । ଏଭଳି ସ୍ଥଳେ ବିଏସ୍ଏନ୍ଏଲ୍ ଗ୍ରାହକମାନେ ଉଚିତ୍ ସେବା ପାଇବାରୁ ବଂଚିତ ହେଉଥ୍ôବାରୁ ଅନ୍ୟ ଘରୋଇ କମ୍ପାନୀ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଜଣାପଡ଼ୁଛି । ତେଣୁ ବିଭାଗ ପକ୍ଷରୁ ଉକ୍ତ ଏକ୍ସଚେଞ୍ଜର ନବକଳେବର ନକରାଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସବଁସାଧାରଣରେ ଦାବି ହେଉଛି ।
ସେମାନେ ଯାହା କହନ୍ତି:
୦୧.ସରକାର ବିଏସ୍ଏନ୍ଏଳ୍(ମୋବାଇଲ୍) ସେବା ପ୍ରତି ଗ୍ରାହକଙ୍କୁ ଆକୃଷ୍ଠ କରିବାକୁ ସୁଲଭ ମୂଲ୍ୟର ବିଭିନ୍ନ ପ୍ରକାରର ମୋବାଇଲ ଭାଉଚର ବଜାରରେ ଉପଲବ୍ଧ କରିଥିବା ବେଳେ ଅଂଚଳବାସୀ ଏଠାରେ ଥିବା ଏକ୍ସଚେଞ୍ଜର ଅବ୍ୟବସ୍ଥା ଯୋଗୁଁ ତାହର ସୁଯୋଗ ଠିକ୍ ଭାବେ ପାଇପାରୁ ନାହାନ୍ତି । ତେଣୁ ଯଥାଶୀଗ୍ର ଏହାର ନବକଳେବର କରାଗଲେ ଗ୍ରାହକମାନେ ମୋବାଇଲ୍(ବିଏସ୍ଏନ୍ଏଲ୍)ସେବା ଠିକ୍ ଭାବେ ପାଇପାରନ୍ତେ ।

ମନ୍ମଥ ଦାସ, ଯୁବ ସମାଜସେବୀ, ଆଗରପଡ଼ା
୦୨.କରୋନା ମହାମାରୀ ପରେ ଶିକ୍ଷାକ୍ଷେତ୍ରରେ ମୋବାଇଲର ଗୁରୁତ୍ୱ ବଢିଥିବା ବେଳେ ଘରୋଇ କମ୍ପାନୀମାନଙ୍କ ଦ୍ୱାରା ପ୍ରଦତ୍ତ ଭାଉଚରମୂଲ୍ୟ ମଧ୍ୟବିତ୍ତ ପରିବାର ପାଇଁ ବୋଝ ସଦୃଶ ପାଲଟିଛି । ଅପରପକ୍ଷରେ ଏକ୍ସଚେଞ୍ଜର ଅବ୍ୟବସ୍ଥା ଯୋଗୁଁ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରୁଥିବା ବିଏସ୍ଏନ୍ଏଳ୍(ମୋବାଇଲ୍) ଭାଉଚରରୁ ସେମାନେ ବଂଚିତ ହେଉଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ନିରୋଜ ଆଇଚ, ରାଜ୍ୟ ମାନବଅଧିକାର ମିଶନ, ମିଡ଼ିଆ ସେଲ ସମ୍ପାଦକ, ଆଗରପଡ଼ା
୦୩.ଆଗରପଡ଼ା ପରି ଏ୍ୟୌତିହାସିକ ସ୍ଥାନରେ ବିଏସ୍ଏନ୍ଏଳ୍(ମୋବାଇଲ୍) ସେବା ଠିକ୍ ଭାବେ ଉପଲବ୍ଧ ହୋଇ ନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ତେଣୁ ବିଭାଗୀୟ ଅଧିକାରୀ ଅଂଚଳବାସୀଙ୍କୁ ଉକ୍ତ ସେବା ସୂଚାରୁରୂପେ ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ଜଗତ୍ମୋହନ ସିଂହ, ସୁପ୍ରିମକୋର୍ଟ ଆଇନଜୀବୀ, ଆଗରପଡ଼ା
୦୪.ଆଧୁନିକ ଯୁଗରେ ମୋବାଇଲର ଚାହିଦା ବଢି ଚାଲିଥିବା ବେଳେ ଓ ଶିକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱ ଅଧିକ ଥିବାରୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଏସ୍ଏନ୍ଏଳ୍(ମୋବାଇଲ୍) ସେବା ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଗଲେ ଏହା ସବୁ ବର୍ଗର ଲୋକଙ୍କପାଇଁ ଫଳପ୍ରଦ ହୋଇପାରନ୍ତା ।

ଅକ୍ଷୟ ସିଂହ, ବରିଷ୍ଠ ସାମ୍ବାଦିକ, ଆଗରପଡ଼ା

