ଆଗରପଡ଼ା :ବର୍ଷା ଆସିଲେ ଗ୍ରାମବାସୀଙ୍କ ଦୁଃଖ ବଢିଯାଏ । ବର୍ଷା ପାଣି ଚାଷ ଓ ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ବାଧକ ସାଜିଥାଏ । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ୩ନଂ ୱାର୍ଡ଼ ଅନ୍ତର୍ଗତ ଭଗାରାମ ଗ୍ରାମରେ । ସୂଚନା ଅନୁଯାୟୀ: ବାରିକ ସାହୀ,ବଡ଼ ସାହୀ,ଜେନା ସାହୀ,ଦାସ ସାହୀ,ଗୁଦୁଡ଼ି ସାହୀ,ବଡ଼ପୋଖରୀ ଓ ମହୁରୀ ସାହୀକୁ ନେଇ ଭଗାରାମ ଗ୍ରାମ ଗଠିତ । ଯାହାର ଲୋକ ସଂଖ୍ୟା ପାଖାପାଖି ୧୦୦୦ ହୋଇଥିବା ବେଳେ ଭୋଟର ସଂଖ୍ୟା ପାଖାପାଖି ୭୦୦ । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୁରଦୃଷ୍ଟିର ଅଭାବଯୋଗୁଁ ଭକ୍ତ ଗ୍ରାମରେ ଜଳନିଷ୍କାସନର ସୁବନ୍ଦୋବସ୍ତ ନଥିବାରୁ ବର୍ଷାଋତୁ ଆସିଲେ ଗ୍ରାମବାସୀଙ୍କ ଚିନ୍ତା ବଢିଯାଇଥାଏ । ଅଭିଯୋଗ ଅନୁଯାୟୀ :ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କାଦବରାଙ୍ଗ-ଆଡ଼ିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ବାଙ୍କତିରା ଠାରୁ ଆପ୍ତିରାଷଡ଼ଙ୍ଗୀ ପର୍ଯ୍ୟନ୍ତ ଲମ୍ବିଥିବା ପାଖାପାଖି ୨.୭କିମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ମରାମତି କାର୍ଯ୍ୟ ଗତ ୨୦୨୩ ନଭେମ୍ବର ମାସରେ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଏହାର ଉଭୟ ପାଶ୍ୱର୍ ଦବିଯିବା ସହ ପାଣି ଜମି ରହି ଗମନାଗମନରେ ବାଧା ସୃଷ୍ଟି କରୁଥିବା ବେଳେ ରାସ୍ତା ନିର୍ମାଣ ସମୟରେ ଜଳନିଷ୍କାସନ ପାଇଁ ବିଭାଗ ପକ୍ଷରୁ କୈାଣସି ସୁବନ୍ଦୋବସ୍ତ କରାଯାଇନଥିବାରୁ ଏହି ଗ୍ରାମ ଦେଇ ମୁଣ୍ଡଳୀ, ରଇଁତରା ଓ ନୂଆପୋଖରୀ ଗ୍ରାମର ଜଳ ପ୍ରଭାବିତ ହେଉଥିଲେ ସୁଦ୍ଧା ଏହା ନିଷ୍କାସନ ନ ହୋଇ ପାରି ଜମି ରହୁଛି । ସେହିପରି ବର୍ଷା ହେଲେ ଏହି ଜଳ ନିଷ୍କାସନ ହୋଇ ନପାରି ଭଗାରାମ ଗ୍ରାମର ବାରିକ ସାହୀର ୧୦/୧୨ ପରିବାରଙ୍କ ସମେତ ହରିଜନ ସାହୀର କିଛି ପରିବାର ପାଣି ଘେରରେ ରହିଯାଇଥାନ୍ତି । ସେହିପରି ଜଳନିଷ୍କାସନ ହୋଇ ପାରୁନଥିବାରୁ ପାଖାପାଖି ୫୦ଏକର ଚାଷ ଉପଯୋଗି ଜମି ରେ ଚାଷ କାର୍ଯ୍ୟ ହୋଇପାରୁନଥିବା ଜଣାପଡ଼ିଛି । ଚାଷ ଜମିରେ କାଡ଼ାନାଳ ନିର୍ମାଣ ହୋଇଥିଲେ ସୁଦ୍ଧା ନିର୍ମାଣ ଅତି ନିମ୍ନମାନର ହୋଇଥିବାରୁ ଜଳ ନିଷ୍କାସନ ମଧ୍ୟ ଠିକ୍ ଭାବେ ହେଉନଥିବା ଜଣାପଡ଼ିଛି । ପ୍ରତିବର୍ଷ ଗ୍ରାମବାସୀଙ୍କ ଦ୍ୱାରା ବିଭାଗୀୟ ଅଧିକାରୀଙ୍କ ସମେତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ଅଧ୍ୟାବଧି କିଛି ସୁଫଳ ମିଳିପାରୁନଥିବା ଜଣାପଡ଼ୁଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

