ବାରିପଦା – ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ ତଥା ସଚେତନ କରିବା ଉଦେଶ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ସାଂସଦ ଶ୍ରୀ ନବ ଚରଣ ମାଝୀ, ବିଧାୟକ ସାରସକଣା ଶ୍ରୀ ଭାଦବ ହାଁସଦା, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ,ଉଦଳା ବିଧାୟକ ଶ୍ରୀ ଭାସ୍କର ମଢେଇ, ବଡ଼ସାହି ବିଧାୟକ ଶ୍ରୀ ସନାତନ ବିଜୁଳି, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାୟକ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ରୂପରେଖ ଅନୁସାରେ ଲୋକମାନଙ୍କୁ ସରକାରୀ ଯୋଜନା ସମ୍ବନ୍ଧରେ ଅବଗତ ତଥା ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଚଳିତ ଜୁନମାସ ୫ତାରିଖ ରୁ ଜୁନ୨୦ ତାରିଖ ପର୍ଯ୍ୟନ୍ତ କ୍ଷେତ୍ରୀୟ ସ୍ତର ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ଓରମାସ ପକ୍ଷରୁ ଜୁନ ୧୧ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବିକାଶ ମେଳା ଜରିଆରେ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ ଓ ଜୁନ ୧୯ ତାରିଖରେ ଆଦିବାସୀ ଶକ୍ତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗ ଯଥା, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଉଦ୍ୟାନ କୃଷି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ଜଳସେଚନ,ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଇତ୍ୟାଦି ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ ଏବଂ ଯୋଜନା ଗୁଡିକର ସଠିକ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ସହ ଉତ୍ତମ ସମ୍ପର୍କ ତଥା ଉତ୍ତମ ସମନ୍ୱୟ ରହିଲେ ଏକ ସୁସ୍ଥ ବାତାବରଣ ସହିତ ସରକାରୀ ଯୋଜନାର ଶତ ପ୍ରତିଶତ ସୁଫଳ ଲୋକମାନେ ପାଇପାରିବେ। ଅଧିକାରୀ ମାନେ ସରକାରୀ ସ୍ତରରେ ଯୋଜନାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବା ସଂଗେ ସଂଗେ ଯୋଜନାର ଉତ୍ତମ ଫଳପ୍ରସୂ ପାଇଁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏବଂ ଯୋଜନାର ଉପଲବ୍ଧି ସମ୍ପର୍କରେ ମଧ୍ୟ ଧ୍ୟାନ ଦେବା ଉଚିତ ବୋଲି ଉଲ୍ଲେଖ କରିଥିଲେ। ଯାହା ଫଳରେ କୌଣସି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡିବେ ନାହିଁ।ପରି ଶେଷରେ ଜିଲ୍ଳାକୁ ବିକାଶ ଦିଗରେ ଆଗେଇ ନେବା ତଥା ବିକଶିତ ଓଡିଶା @୨୦୩୬ ଏବଂ ବିକଶିତ ଭାରତ @୨୦୪୭ ର ପରିକଳ୍ପନାକୁ ସାକାର କରିବା ପାଇଁ ନିଜ ନିଜ ଦାୟିତ୍ୱକୁ ସୂଚାରୂପେ ସମ୍ପାଦନ କରିବା ପାଇଁ ମାନ୍ୟବର ପରାମର୍ଶ ଦେବା ସହ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ପ୍ରଭାତ କୁମାର ବେହେରା, ଏସିଡ଼ିଓ ଶ୍ରୀ ଶାନ୍ତନୁ କୁମାର ନାୟକ, ବାରିପଦା ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ରୋହନ ରାୟ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଲାଇନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ସଭା ଶେଷରେ ବାରିପଦା ଉପଜିଲ୍ଲାପାଳ ଡ ଦୟାସିନ୍ଧୁ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ

