0%
Wednesday, November 25, 2026
24

୨୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

ଦେଶ - ବିଦେଶ

ନୂଆଦିଲ୍ଲୀ: ଦେଶର ବିକାଶକୁ ଆହୁରି ଗତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ବିନିର୍ମାଣ ଶିଳ୍ପ, ବନ୍ଦର, ବିମାନବନ୍ଦର ଏବଂ ଡାକ ବିଭାଗ ସହ ଜଡ଼ିତ ଏହି ପ୍ରକଳ୍ପଗୁଡ଼ିକ ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ହେବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ।

କ୍ୟାବିନେଟ୍ ମୋଟ ୫ଟି ପ୍ରମୁଖ ଯୋଜନାକୁ ଅନୁମୋଦନ କରିଛି । ଏଥିମଧ୍ୟରେ ବିନିର୍ମାଣ ଓ ଭିତ୍ତିଭୂମି ଉପକରଣ (CIE) ଉତ୍ପାଦନ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ୧୧ ହଜାର କୋଟି ଟଙ୍କାର ଯୋଜନାକୁ ସ୍ୱୀକୃତି ଦିଆଯାଇଛି । ସେହିପରି ତାମିଲନାଡୁର କାମରାଜର ବନ୍ଦରରେ ଦ୍ୱିତୀୟ କଣ୍ଟେନର ଟର୍ମିନାଲ ନିର୍ମାଣ ପାଇଁ ୪,୨୮୮ କୋଟି ଟଙ୍କା ମଞ୍ଜୁର ହୋଇଛି ।

ଭିତ୍ତିଭୂମି ସହ ଜଡ଼ିତ ପରିଯୋଜନା 

ଆସାମର ସିଲଚର ଅନ୍ତର୍ଗତ ଡୋଲୁଠାରେ ଏକ ନୂତନ ଗ୍ରୀନଫିଲ୍ଡ ବିମାନବନ୍ଦର ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ପ୍ରକଳ୍ପ ପାଇଁ ୨,୦୧୪ କୋଟି ଟଙ୍କା ବ୍ୟୟ ହେବ । ଏହାଦ୍ୱାରା ଅଞ୍ଚଳରେ ବିମାନ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବା ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି ।

ଡାକ ବିଭାଗ ପାଇଁ ନୂଆ ଯୋଜନା

ଡାକ ବିଭାଗର କାର୍ଯ୍ୟପ୍ରଣାଳୀକୁ ଆଧୁନିକ ଓ ଅଧିକ ଦକ୍ଷ କରିବା ପାଇଁ ଦୁଇଟି ଯୋଜନାକୁ ଅନୁମୋଦନ ମିଳିଛି । ଡାକ ପରିଚାଳନା ଯୋଜନା ପାଇଁ ୧,୧୪୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଡାକ ସମ୍ପତ୍ତି ପରିଚାଳନା ଯୋଜନା ବାବଦକୁ ୧,୪୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଡାକ ସମ୍ପତ୍ତି ପରିଚାଳନା ଯୋଜନା ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଲାଗୁ ହେବ । ଏହି ଯୋଜନା ଅଧୀନରେ ଡାକଘର ଓ କର୍ମଚାରୀଙ୍କ ଆବାସିକ କଲୋନୀର ନିର୍ମାଣ, ପୁନଃନିର୍ମାଣ ଏବଂ ନବୀକରଣ କରାଯିବ । ଏଥିସହ ଐତିହାସିକ ଡାକଘର କୋଠାଗୁଡ଼ିକର ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

ଏହି ଯୋଜନା ଅଧୀନରେ ୨୮୦ କୋଟି ଟଙ୍କା ବ୍ୟୟରେ ୧୯୦ଟି ନୂଆ ସରକାରୀ ଡାକଘର କୋଠା ନିର୍ମାଣ କରାଯିବ । ୧୦୮ କୋଟି ଟଙ୍କା ବ୍ୟୟରେ ୫୦ଟି ଜରାଜୀର୍ଣ୍ଣ ଡାକଘର କୋଠାର ପୁନଃନିର୍ମାଣ କରାଯିବ । ୩୧୮ କୋଟି ଟଙ୍କା ବ୍ୟୟରେ ୨,୫୫୦ଟି ସରକାରୀ ଉପଡାକଘରର ନବୀକରଣ ଏବଂ ସମାନ ଢାଞ୍ଚାରେ ସାଜସଜ୍ଜା କରାଯିବ । ଭଡ଼ା ଘରେ ଚାଲୁଥିବା ୨,୫୦୦ଟି ଡାକଘରର ଉନ୍ନତିକରଣ ଓ ବ୍ରାଣ୍ଡିଂ ପାଇଁ ୩୭.୫୦ କୋଟି ଟଙ୍କା ବ୍ୟୟ ହେବ । ଐତିହାସିକ ଡାକଘର କୋଠାଗୁଡ଼ିକର ସଂରକ୍ଷଣ ପାଇଁ ୧୮୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ଅର୍ଥରେ ୨୦ଟି ଐତିହାସିକ ଡାକଘର କୋଠାର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ । ସେହିପରି ଡାକ ବିଭାଗର କର୍ମଚାରୀଙ୍କ କଲ୍ୟାଣ ପାଇଁ ୩୫୭.୫୦ କୋଟି ଟଙ୍କା ବ୍ୟୟରେ ୧୫୦ଟି ଆବାସିକ କଲୋନୀର ନବୀକରଣ କରାଯିବ । ଏଥିସହ ୧୦୦ କୋଟି ଟଙ୍କାରେ ସୌରଶକ୍ତି ବ୍ୟବହାର ଏବଂ ବର୍ଷାଜଳ ସଂରକ୍ଷଣ ଭଳି ପରିବେଶ ଅନୁକୂଳ ବ୍ୟବସ୍ଥା କରାଯିବ।

ଡାକ ସେବାରେ ଆସିବ ଡିଜିଟାଲ ପରିବର୍ତ୍ତନ

ଡାକ ବିଭାଗରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ସେବାରେ ସୁଗମତା ଆଣିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସୁଗମ୍ୟ ଭାରତ ଅଭିଯାନ ଅଧୀନରେ ଡାକଘରଗୁଡ଼ିକରେ ରାମ୍ପ ଓ ବ୍ରେଲ୍ ସାଇନେଜ୍ ଭଳି ସୁବିଧା ଯୋଗାଇ ଦିଆଯିବ । ଏଥିସହ ମହିଳାଙ୍କ ପାଇଁ ଶୌଚାଳୟ ଏବଂ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ସ୍ୱତନ୍ତ୍ର କକ୍ଷ ନିର୍ମାଣ କରାଯିବ । ବେଙ୍ଗାଲୁରୁଠାରେ ଡାକ ପ୍ରଯୁକ୍ତିବିଦ୍ୟା ଉତ୍କର୍ଷ କେନ୍ଦ୍ର (CEPT) ପାଇଁ ୧୦୦ କୋଟି ଟଙ୍କା ବ୍ୟୟରେ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ହେବ । ଏହା ଡାକ ସେବାରେ ଉନ୍ନତ ଜ୍ଞାନକୌଶଳ ଏବଂ ସ୍ୱଦେଶୀ ଓପନ୍ ସୋର୍ସ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବ ।

Leave a Reply

Your email address will not be published. Required fields are marked *