ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଗଣଦୁଷ୍କର୍ମ ଅଭିଯୋଗ । ପୂର୍ବ ଦିଲ୍ଲୀର ପ୍ରୀତ ବିହାର ଅଞ୍ଚଳରେ ଥିବା ଏକ କାଫେରେ ୨୨ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନିଜ ସହକର୍ମୀଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯୁବତୀ । ଘଟଣାରେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।
ଖବର ମୁତାବକ, ସୋମବାର ରାତିରେ ଯୁବତୀ ନିଜର ୭ ଜଣ ସହକର୍ମୀଙ୍କ ସହ ପ୍ରୀତ ବିହାରର ଏକ କାଫେକୁ ପାର୍ଟି କରିବାକୁ ଯାଇଥିଲେ । ରାତି ସାଢ଼େ ୧୧ଟାରେ କାଫେ ବନ୍ଦ ହୋଇଥିଲା । ତେବେ ଜଣେ କର୍ମଚାରୀଙ୍କ ପାଖରେ ଚାବି ଥିବାରୁ ପୁଣି କାଫେ ଖୋଲାଯାଇଥିଲା । ଭୋର ସାଢ଼େ ୩ଟା ପର୍ଯ୍ୟନ୍ତ ସେଠାରେ ପାର୍ଟି ଚାଲିଥିଲା । ଏହି ସମୟରେ ଦୁଇ ଜଣ ପୁରୁଷ ସହକର୍ମୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଅନ୍ୟ କେତେଜଣ ସହକର୍ମୀ ମଧ୍ୟ ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।
ଗତକାଲି ଭୋର ପ୍ରାୟ ୫ଟା ୪୫ ମିନିଟରେ ଥାନାରେ ପହଞ୍ଚି ଯୁବତୀ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ୪ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଗଣଦୁଷ୍କର୍ମ ସମ୍ପର୍କିତ ଧାରାରେ ମାମଲା ରୁଜୁ କରିଛି ପୋଲିସ । ଘଟଣା ସମ୍ପର୍କିତ ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ କରୁଛି ପୋଲିସ । ଆଗକୁ ମାଜିଷ୍ଟ୍ରେଟଙ୍କ ନିକଟରେ ମଧ୍ୟ ଯୁବତୀଙ୍କ ବୟାନ ରେକର୍ଡ କରାଯିବ । ଫେରାର ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତନାଘନା ଜାରି ରହିଛି । ଏହି ଘଟଣା ପୁଣିଥରେ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶକୁ ନେଇ ପ୍ରଶ୍ନ ଉଠାଇଛି ।
