- ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ଦଣ୍ଡନୀୟ ଅପରାଧ, ଆଇନସମ୍ମତ ପ୍ରକ୍ରିୟା ଅନୁସରଣ ପାଇଁ ଆହ୍ୱାନ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁକୂଲ୍ୟରେ ‘ପୋଷ୍ୟ ସନ୍ତାନ ଗ୍ରହଣ ମାସ’ ପାଳନ ଅବସରରେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ବାର୍ତ୍ତା ‘ଅବୈଧ ପୋଷ୍ୟ ସନ୍ତାନ ଗ୍ରହଣକୁ ନା କୁହନ୍ତୁ’ ଆଧାରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ଶ୍ରୀ ନାୟକ କହିଥିଲେ ଯେ, ପ୍ରତ୍ୟେକ ଶିଶୁର ସୁରକ୍ଷିତ ଓ ସୁନ୍ଦର ଭବିଷ୍ୟତ ପାଇଁ ଏକ ସୁସ୍ଥ ପାରିବାରିକ ପରିବେଶ ଅତ୍ୟନ୍ତ ଜରୁରୀ । ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଚ୍ଛୁକ ପିତାମାତାମାନେ ସରକାରଙ୍କ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଆବଶ୍ୟକ । ବେଆଇନ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଏକ ଦଣ୍ଡନୀୟ ଅପରାଧ । ତେଣୁ ଏ ଦିଗରେ ସମସ୍ତେ ସଚେତନ ରହିବା ସହ ଆଇନସମ୍ମତ ପ୍ରକ୍ରିୟାକୁ ଅନୁସରଣ କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମହାରଣା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଭାସ୍ୱତୀ ବାରିକ, ଡିଏସ୍ପି ନିରୁପମା ମଲ୍ଲିକ ଏବଂ ଏଡିପିଏଚ୍ଓ ଡ. ସନାତନ କୁମାର ଦାସ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣର ବିଭିନ୍ନ ଦିଗ, ଶିଶୁ ସୁରକ୍ଷା ଓ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ସଭା ପରିଚାଳନା କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ବୈଧ ଆଇନଗତ ପ୍ରକ୍ରିୟାରେ ପୋଷ୍ୟ ସନ୍ତାନ ଗ୍ରହଣ ଦ୍ୱାରା ଶିଶୁର ଅଧିକାର ଓ ଭବିଷ୍ୟତ ସୁରକ୍ଷିତ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ ।
ସାଧନ କର୍ମୀ ଜୀବନ କୃଷ୍ଣ ବେହେରା ‘ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ-୨୦୨୨’ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସୁରକ୍ଷା ଅଧିକାରୀ (ଅଣଆନୁଷ୍ଠାନିକ ସେବା) ଅମର କୁମାର ଦେ ସମ୍ପର୍କୀୟଙ୍କ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ସାବତ ପିତାମାତାଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ (ଷ୍ଟେପ୍ ଆଡପ୍ସନ୍) ସମ୍ପର୍କିତ ଆଇନଗତ ପ୍ରକ୍ରିୟା ଓ ବିଧିବ୍ୟବସ୍ଥା ବିଷୟରେ ବୁଝାଇଥିଲେ ।
ଏହି ଅବସରରେ ଶିଶୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବେତନଟୀ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଛବିରାଣୀ ବେହେରା ଏବଂ ମୋରଡ଼ା ଥାନାର ସବ୍-ଇନ୍ସପେକ୍ଟର ନିବେଦିତା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଆଇନସମ୍ମତ ପ୍ରକ୍ରିୟାରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଦୁଇ ଦମ୍ପତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ସିଡିପିଓ, ମେଡିକାଲ ଅଫିସର, ଥାନା ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ଓ ଶିଶୁ ଯତ୍ନ ଅନୁଷ୍ଠାନର ପ୍ରତିନିଧିଙ୍କ ସମେତ ଚାଇଲ୍ଡ ହେଲ୍ପଲାଇନ୍ର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ପରାମର୍ଶଦାତା ଦିଲ୍ଲୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମଚାରୀ ସକ୍ରିୟ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
