୨୭

କର୍ମ ହିଁ ମଣିଷର ସୁଖ ଓ ଦୁଃଖର କାରଣ

ରାଜ୍ୟ

ବାରିପଦା: ଆଧ୍ୟାତ୍ମିକ ଚେତନାର ବାର୍ତ୍ତାବହ ମୟୂରଭଞ୍ଜର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ପବିତ୍ର ଦେବଉତ୍ଥାପନ ଏକାଦଶୀ ଅବସରରେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ପ୍ରତିଷ୍ଠାନର ସଭାପତି ଡା. ପାର୍ଥ ସାରଥୀ ଜେନାଙ୍କ ସଭାପତିତ୍ୱରେ ସ୍ଥାନୀୟ ୩ ନଂ ୱାର୍ଡସ୍ଥିତ ସତ୍‌ସଙ୍ଗ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ବିଶିଷ୍ଟ ସମାଜସେବୀ ଶମ୍ଭୁଦୟାଲ ଖଣ୍ଡେଲୱାଲଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉକ୍ତ ସମାରୋହରେ ବ୍ରହ୍ମଚାରୀ ଅଚ୍ୟୁତ ଚୈତନ୍ୟ ମୁଖ୍ୟ ପ୍ରବାଚକ ଭାବେ ଯୋଗ ଦେଇ ଶ୍ରୀମଦ୍ ଭଗବଦ୍ ଗୀତାର କର୍ମଯୋଗ ସମ୍ପର୍କରେ ଆଲୋଚନା କରି କର୍ମ ହିଁ ମଣିଷର ସୁଖ ଓ ଦୁଃଖର କାରଣ ବୋଲି ଉଲ୍ଲେଖ କରିଥିଲେ । ପବିତ୍ର ପଞ୍ଚୁକର ଗରୁଡ ଦ୍ୱାଦଶୀ ଅବସରରେ ଶ୍ରଦ୍ଧାଳୁମାନଙ୍କ ଅନୁରୋଧ କ୍ରମେ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଭାଗବତ ପଣ୍ଡା ସ୍କନ୍ଦ ପୁରାଣ ଆଧାରିତ ଶ୍ରୀଜଗନ୍ନାଥ ତତ୍ତ୍ୱ ସମ୍ପର୍କରେ ଏକ ଭାବ ଗର୍ଭକ ପ୍ରବଚନ ପ୍ରଦାନ କରିବା ସହିତ କାର୍ଯ୍ୟ ଓ କର୍ମର ଭେଦ ତଥା ଅଦ୍ୱୈତ ଓ ଦ୍ୱୈତ ବାଦ ସମ୍ପର୍କରେ ଏକ ତାତ୍ତ୍ୱିକ ବ୍ୟାଖ୍ୟା କରିଥିଲେ । ଉଭୟ ଦିବସ କାର୍ଯ୍ୟକ୍ରମରେ ସଭାପତି ଡା. ଜେନା ଶ୍ରୀମଦ୍ ଭଗବଦ୍ ଗୀତାରେ ମଣିଷ ଜୀବନର ସମସ୍ତ ସମସ୍ୟା ସମାଧାନର ସୂତ୍ର ରହିଛି ବୋଲି ଉଲ୍ଲେଖ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିରଜା ଦେବୀ, ତପନ କୁମାର ପଟ୍ଟନାୟକ, ଉମେଶ ଚନ୍ଦ୍ର ବାରିକ, ଶ୍ରୀହରି ଦତ୍ତ , ଗୋପାଳ ଚନ୍ଦ୍ର ଦତ୍ତ, ସୁରେଶ କୁମାର ପାଣିଗ୍ରାହୀ, ଗୀତାରାଣୀ ସାହୁ, ଭାସ୍ୱତୀ ପଣ୍ଡା, ଛବିରାଣୀ ସାହୁ, ଅଧ୍ୟାପକ ଗୋପାଳ ଚନ୍ଦ୍ର ସାହୁ, କମଳିନୀ ବେହେରା, ବିଭୂ ମହାଳିକ, ପୂର୍ଣ୍ଣଚନ୍ଦ୍ର ପାତ୍ର, ବିଶ୍ୱଜିତ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *