ବାରିପଦା: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ନୂଆଗାଁ ହୁଟୁବ ସାହିରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଦେଖାଦେଇଛି ଅସନ୍ତୋଷ। କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ କାମ ଆରମ୍ଭ କରାଯାଇ ରାସ୍ତା ଖୋଳାଯାଇଥିବା ବେଳେ ଦୀର୍ଘ ଦଶ ଦିନ ହେବ କାର୍ଯ୍ୟ ବନ୍ଦ ରହିଛି। ଫଳରେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ରାସ୍ତା ଏବଂ ନିତିଦିନ ଯାତାୟାତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ।
ସବୁଠାରୁ ଆଶ୍ଚର୍ଯ୍ୟର କଥା, ନିର୍ମାଣ ସ୍ଥଳରେ ଲାଗିଥିବା ସୂଚନା ଫଳକରେ କାର୍ଯ୍ୟ ସମ୍ପର୍କିତ କୌଣସି ତଥ୍ୟ ଉଲ୍ଲେଖ ନାହିଁ। କେଉଁ ଯୋଜନାରେ ଏହି କାମ ହେଉଛି, କେତେ ଟଙ୍କାର ଅନୁଦାନ ମିଳିଛି ଏବଂ କେତେ ଦିନ ମଧ୍ୟରେ କାମ ଶେଷ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ଅନ୍ୟପକ୍ଷରେ, ଏହି ରାସ୍ତା ନିର୍ମାଣ ସମ୍ପର୍କରେ ସ୍ଥାନୀୟ ୱାର୍ଡ ସଭ୍ୟl ମଧ୍ୟ ଅବଗତ ନଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅନ୍ଧାରରେ ରଖି କିପରି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।
ରାସ୍ତା ଖୋଳା ହୋଇ ପଡ଼ିଥିବାରୁ ବୟସ୍କ ବ୍ୟକ୍ତି, ଛୋଟ ପିଲା ଓ ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଜରୁରୀ ସମୟରେ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ସରକାରୀ କାମରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ କାହା ପାଇଁ? ଗ୍ରାମବାସୀଙ୍କ ପ୍ରଶ୍ନ, ଜନସାଧାରଣଙ୍କ ସୁବିଧା ପାଇଁ ହେଉଥିବା ରାସ୍ତା କାମ ଯଦି ଲୋକଙ୍କୁ ଅଧିକ ହଇରାଣ କରିବ, ତେବେ ଏହାର ଦାୟିତ୍ୱ କିଏ ନେବ? ନିୟମକାନୁନକୁ ଅଣଦେଖା କରି ମନଇଚ୍ଛା କାମ କରିବାକୁ କିଏ ଅନୁମତି ଦେଲା? ତେଣୁ ସମ୍ପୃକ୍ତ ବିଭାଗ ଓ ବ୍ଲକ ପ୍ରଶାସନ ଘଟଣାର ତଦନ୍ତ କରି କାର୍ଯ୍ୟର ସମ୍ପୂର୍ଣ୍ଣ ବିବରଣୀ ସୂଚନା ଫଳକରେ ଉଲ୍ଲେଖ କରିବା ସହ ତୁରନ୍ତ ନିର୍ମାଣ କାମ ଆରମ୍ଭ କରି ଶେଷ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
