30

ଅଧିକ ନିଯୁକ୍ତି ଓ କର୍ମଚାରୀଙ୍କୁ ଭଲ ଦରମା ପ୍ରଦାନ ନେଇ ଘରୋଇ କମ୍ପାନୀମାନଙ୍କୁ ମୋଦୀଙ୍କ ଆହ୍ୱାନ

ଦେଶ - ବିଦେଶ

ନୂଆଦିଲ୍ଲୀ: ଦେଶରେ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଏବଂ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ଦେବା ପାଇଁ ସରକାର କର୍ପୋରେଟ୍ ଟ୍ୟାକ୍ସଠାରୁ ଆରମ୍ଭ କରି ଆୟକର ପର୍ଯ୍ୟନ୍ତ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବ୍ୟବସାୟ କରିବାକୁ ସହଜ କରିବା ପାଇଁ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିସହ ଅନ୍ୟ ଦେଶଗୁଡ଼ିକ ସହ ବାଣିଜ୍ୟ ଚୁକ୍ତି ମଧ୍ୟ କରାଯାଇଛି। ତେଣୁ କମ୍ପାନୀମାନେ କେବଳ ନିଜର ଲାଭ ବଢ଼ାଇବା ଉପରେ ଧ୍ୟାନ ନଦେଇ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି କରନ୍ତୁ ଏବଂ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଗୁରୁବାର ‘ଫିକି’ର ବାର୍ଷିକ ସାଧାରଣ ସଭା ଓ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ କହିଥିଲେ ଯେ, ଦେଶର ବିକାଶ ଦାୟିତ୍ୱ କେବଳ ସରକାରଙ୍କର ନୁହେଁ। ଶିଳ୍ପ ଜଗତକୁ ମଧ୍ୟ ବିକାଶ ପ୍ରକ୍ରିୟାରେ ଭାଗୀଦାର ହେବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି । ଏବେ ଏହି ନିଷ୍ପତ୍ତିର ଲାଭ ଦେଶର ଅର୍ଥନୀତି ଓ ସାଧାରଣ ଲୋକଙ୍କୁ ମିଳିବା ଉଚିତ। ଏଥିପାଇଁ ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ଉପରେ ଧ୍ୟାନ ଦେବା ଆବଶ୍ୟକ। ଭାରତର ବଢ଼ୁଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ନେଟୱର୍କର ଲାଭ ଉଠାଇବାକୁ ପ୍ରଧାନମନ୍ତ୍ରୀ ଶିଳ୍ପପତିମାନଙ୍କୁ ଅପିଲ୍ କରିଛନ୍ତି। ଏହି ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଅନ୍ୟ ଦେଶଗୁଡ଼ିକରେ କିପରି ନିଜ ବ୍ୟବସାୟ ବଢ଼ାଇ ହେବ, ସେଥିପାଇଁ କମ୍ପାନୀଗୁଡ଼ିକ ନିଜେ ରଣନୀତି ପ୍ରସ୍ତୁତ କରିବା ଉଚିତ। ପ୍ରତ୍ୟେକ ସୁଯୋଗ ଚିହ୍ନଟ କରିବାର ଦାୟିତ୍ୱ କେବଳ ସରକାରଙ୍କ ଉପରେ ଛାଡ଼ିଦେବା ଉଚିତ ନୁହେଁ ବୋଲି ସେ କହିଥିଲେ। ଭାରତୀୟ ଗ୍ରାହକଙ୍କୁ ମଧ୍ୟ କମ୍ପାନୀଗୁଡ଼ିକ ବିଦେଶରେ ବିକ୍ରି କରୁଥିବା ସମାନ ଗୁଣବତ୍ତାର ଉତ୍ପାଦ ଯୋଗାଇଦେବା ଉଚିତ । ରପ୍ତାନି ପାଇଁ ଉନ୍ନତ ମାନର ଉତ୍ପାଦ ଏବଂ ଘରୋଇ ବଜାର ପାଇଁ ଭିନ୍ନ ମାନର ଉତ୍ପାଦ ବିକ୍ରି କରିବା ମାନସିକତା ଉପରେ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇଥିଲେ।

Leave a Reply

Your email address will not be published. Required fields are marked *