- ଅନ୍ତର୍ଜାତୀୟ କ୍ରୀଡା ପ୍ରତିଭାଙ୍କୁ ସମ୍ବର୍ଦ୍ଧନା
ବାରିପଦା: କେବଳ ପଦକ ନୁହେଁ, ପିଲାମାନଙ୍କ ସ୍ୱପ୍ନକୁ ନୂଆ ପରିଚୟ ଦେବାର ଏକ ଅଭିଯାନ ଆରମ୍ଭ କରିଛି ଫ୍ୟୁଚର ଷ୍ଟାର ସ୍ପୋର୍ଟ୍ସ ଏକାଡେମୀ I ଏହି ମହତ୍ ଉଦ୍ଦେଶ୍ୟ ନେଇ ୨୦୧୯ ମସିହାରୁ କାର୍ଯ୍ୟରତ ଏକାଡେମୀର ୭ମ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ ପାଳିତ ହୋଇଯାଇଛି I ଏହି ସମାରୋହରେ ମୟୂରଭଞ୍ଜର ମହାରାଣୀ ଶ୍ରୀମତୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏକାଡେମୀର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅବସରରେ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିଥିବା ପାର୍ବତୀ ହାଁସଦା ଓ ସନ୍ଧ୍ୟାରାଣୀ ଟୁଡୁ, ଏସିଆ ରଗ୍ବୀ ଅଣ୍ଡର-୨୦ ମହିଳା ଚାମ୍ପିଅନସିପ୍ରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ସୁମିତ୍ରା ମୁର୍ମୁ, ରଗ୍ବୀ ପ୍ରିମିୟର ଲିଗ୍ରେ ଅଂଶଗ୍ରହଣ କରିଥିବା ସୁନୀତା ହାଁସଦାଙ୍କ ସମେତ ଏକାଡେମୀର ସମସ୍ତ ଜାତୀୟ ସ୍ତରର ଖେଳାଳିଙ୍କୁ ମାନପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I ୨୦୧୯ରୁ ଆରମ୍ଭ ହୋଇଥିବା ଏକାଡେମୀର ଏହି ସାତ ବର୍ଷର ଯାତ୍ରା ଅନେକ ସଂଘର୍ଷ ଓ ସଫଳତାର କାହାଣୀ I ଏପର୍ଯ୍ୟନ୍ତ ୪୨ ଜଣ ଖେଳାଳି ଜାତୀୟ ସ୍ତରରେ, ୪ ଜଣ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବା ସହ ୨୦୦ରୁ ଊର୍ଦ୍ଧ୍ୱ ପଦକ ହାସଲ କରିଛନ୍ତି। ସୀମିତ ସମ୍ବଳ ମଧ୍ୟରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଆଜି ଅନେକ ଆଦିବାସୀ ଓ ଅବହେଳିତ ପିଲାଙ୍କ ସ୍ୱପ୍ନକୁ ନୂଆ ଦିଗ ଦେଇଛି। ସମାରୋହରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ. ଶୁଭାଶିଷ ନାୟକ, ଭଞ୍ଜ ସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ପୂର୍ବତନ ଏସ୍ଡିସି ଅଧ୍ୟକ୍ଷ ଡ. ଦେବାଶିଷ ମାର୍ଣ୍ଡି, ସାମାଜିକ କର୍ମୀ ରାକେଶ ସିଂହ, ନିର୍ଦ୍ଦେଶକ ଅମର ସେଠୀ, ଅନ୍ତର୍ଜାତୀୟ ୟୁଟ୍ୟୁବର ତଥା ଏକାଡେମୀର ସଦସ୍ୟ ଲବ ହାଁସଦା, ରେଟୋ ଫ୍ୟାଶନର ଧୀରେନ୍ଦ୍ରନାଥ ହେମ୍ବ୍ରମ, କେ ଡି ପି ରୟାଲର ଗୌରବ ମୋଦୀ, ହୋଟେଲ ଆର୍.କେ. ଇଣ୍ଟରନ୍ୟାସନାଲର ଋଷଭ ଅଗ୍ରୱାଲ, ଶ୍ରେଷ୍ଠା ଇଭେଣ୍ଟସ୍ର ଗୁରୁଜ୍ୟୋତି ପାଠୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗୀରଥି ମଲ୍ଲିକ, ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ରଞ୍ଜନ କୁମାର ତରାଇ, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ଦାଶରଥ ମହାନ୍ତ, ଲାୟନ୍ସ କ୍ଲବ୍ର ଅନୀଶ ଅଗ୍ରୱାଲ, ଏବଂ ଏକାଡେମୀରେ ପରାମର୍ଶଦାତା ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଦିବସ ରେ ଭାରତୀୟ ୨୦ ବର୍ଷରୁ କମ ରଗବି ଦଳର କୋଚ କ୍ୟାନ ଫ୍ୟୁରୀଙ୍କ ଉପସ୍ଥିତି ବେଶ ଉତ୍ସାହପ୍ରଦ ଥିଲା I
ଏହି ସଫଳ ଆୟୋଜନକୁ ସମ୍ଭବ କରିବାରେ ବିଶେଷ ଅବଦାନ ପାଇଁ ଲବ ହାଁସଦା ଓ କଳିଙ୍ଗ କେଶରୀ ଜେନାଙ୍କୁ ଏକାଡେମୀ ପକ୍ଷରୁ ବିଶେଷ କୃତଜ୍ଞତା ଜଣାଯାଇଥିଲା। ବିଶେଷକରି ପିଲାମାନଙ୍କ ମୁହଁରେ ହସ ଫୁଟାଇବା ଓ ସେମାନଙ୍କ ସଫଳତାକୁ ଏକ ସ୍ମରଣୀୟ ଉତ୍ସବରେ ପରିଣତ କରିବାରେ ସେମାନଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ। ଏଥିସହ ଏହି କାର୍ଯ୍ୟକ୍ରମର ସମସ୍ତ ପ୍ରାୟୋଜକ ଓ ସହଯୋଗୀ ସଂସ୍ଥା ରେଟୋ ଫ୍ୟାଶନ, କେ ଡି ପି ରୟାଲ, ଖୁସି ଟ୍ରାଭେଲ୍ସ, ହୋଟେଲ ଆର୍.କେ. ଇଣ୍ଟରନ୍ୟାସନାଲ, ଶ୍ରେଷ୍ଠା ଇଭେଣ୍ଟସ୍ ଆଣ୍ଡ ହସ୍ପିଟାଲିଟି ଏବଂ ଅନ୍ୟ ସମସ୍ତ ସହଯୋଗୀଙ୍କୁ ଏକାଡେମୀ ପକ୍ଷରୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଥିଲା। ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ସମସ୍ତ ଅତିଥି, ପ୍ରାୟୋଜକ, ଶୁଭେଚ୍ଛୁ ଓ ସହଯୋଗୀଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ, ଏକାଡେମୀର ଲକ୍ଷ୍ୟ କେବଳ ଖେଳାଳି ସୃଷ୍ଟି କରିବା ନୁହେଁ, ବରଂ କ୍ରୀଡ଼ା ମାଧ୍ୟମରେ ପ୍ରତ୍ୟେକ ପିଲାଙ୍କୁ ଶିକ୍ଷା, ଆତ୍ମବିଶ୍ୱାସ ଓ ଏକ ସୁନ୍ଦର ଭବିଷ୍ୟତ ପ୍ରଦାନ କରିବା। ସାତ ବର୍ଷର ସଂଘର୍ଷ, ଶହ ଶହ ପଦକ, ଅନେକ ସ୍ୱପ୍ନ ଓ ଗୋଟିଏ ସଂକଳ୍ପ—ପ୍ରତିଭା କେବେ ସୁଯୋଗର ଅଭାବରେ ହଜିଯିବ ନାହିଁ l
