- ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ୮ଟି ବ୍ଲକ୍ର ସ୍ୱାସ୍ଥ୍ୟ ଓ ପୁଷ୍ଟି କର୍ମୀ ସାମିଲ
ବାରିପଦା : ମାତୃ, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ଉନ୍ନତି ସହ ତୃଣମୂଳସ୍ତରରେ ସ୍ୱାସ୍ଥ୍ୟ ଓ ପୁଷ୍ଟି କର୍ମୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ନୀତି ଆୟୋଗଙ୍କ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକଦିବସୀୟ ଜିଲ୍ଲାସ୍ତରୀୟ ତାଲିମ ଶିବିର ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୮ଟି ଆକାଂକ୍ଷୀ ବ୍ଲକ୍ରୁ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଏଏନ୍ଏମ୍, ସୁପରଭାଇଜର ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଏଥିରେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବିଶ୍ୱନାଥ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଞ୍ଜୁକ୍ତା ମହାରଣା ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଲେମ୍ଭା ମାରାଣ୍ଡିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ ।
ପ୍ରାରମ୍ଭିକ ଅଧିବେଶନରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କର ଉନ୍ନତି ସହ କମ୍ ଜନ୍ମ ଓଜନ, ଅପପୁଷ୍ଟି, କିଶୋରୀ ଗର୍ଭଧାରଣ ଓ ବାଲ୍ୟବିବାହ ଭଳି ସମସ୍ୟାର ପ୍ରତିରୋଧ ଓ ନିରାକରଣ ଉପରେ ଆଲୋଚନା ହୋଇଥିଲା । ତାଲିମରେ ଆଲୋଚିତ ବିଷୟବସ୍ତୁକୁ କ୍ଷେତ୍ରସ୍ତରରେ ପ୍ରୟୋଗ କରିବା ସହ ବିଭିନ୍ନ ବିଭାଗ ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତଥା ପୁଷ୍ଟି ସେବା ପ୍ରଦାନକୁ ଅଧିକ ସୁସଂଗଠିତ କରିବା ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଥିଲା।
ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ ପାଇଁ ବିଭାଗୀୟ ସମନ୍ୱୟ ଓ ସ୍ୱାସ୍ଥ୍ୟ-ପୁଷ୍ଟି ସୂଚକାଙ୍କର ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ । ଯଶୀପୁର ଓ ଠାକୁରମୁଣ୍ଡା ପ୍ରଥମେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାବେଳେ ପରେ ଆଉ ୬ଟି ବ୍ଲକ୍ ଅନ୍ତର୍ଭୁକ୍ତ ହୋଇଥିବା ସେ ସୂଚନା ଦେଇଥିଲେ । ଏଥିସହ ସୂଚକାଙ୍କ ସମ୍ବନ୍ଧୀୟ ତଥ୍ୟର ସଠିକ୍ ଓ ସମୟୋଚିତ ଅନଲାଇନ୍ ଉପସ୍ଥାପନା ପାଇଁ ସେ ପରାମର୍ଶ ଦେଇଥିଲେ ।
ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଦାସ ତୃଣମୂଳସ୍ତରରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉଲ୍ଲେଖ କରିବା ସହ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମହାରଣା ସ୍ୱାସ୍ଥ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ସହ ପୁଷ୍ଟିକର ଖାଦ୍ୟ ବଣ୍ଟନ, ଟିକାକରଣ, କିଶୋରୀ ସଚେତନତା ଓ ବାଲ୍ୟବିବାହ ନିରୋଧ ଭଳି କାର୍ଯ୍ୟକ୍ରମର ନିୟମିତ ଅନୁସରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
ତାଲିମ ଶିବିରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସମ୍ପର୍କିତ ବୈଷୟିକ ଅଧିବେଶନ ଆୟୋଜିତ ହୋଇଥିଲା । ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ସୁଯୋଗ ନାୟକ ଗର୍ଭାବସ୍ଥାରେ ମାତୃ ଯତ୍ନ ଓ ଜଟିଳତାର ଚିହ୍ନଟ ସମ୍ପର୍କରେ ତାଲିମ ଦେଇଥିବାବେଳେ ଶିଶୁ ରୋଗ ବିଶେଷଜ୍ଞ ଡା. ହରିଶ ସାହୁ ନବଜାତ ଶିଶୁର ଯତ୍ନ, ସ୍ତନ୍ୟପାନ ଏବଂ ଅପପୁଷ୍ଟିର ଚିହ୍ନଟ ଓ ପରିଚାଳନା ଉପରେ ଆଲୋକପାତ କରିଥିଲେ । ଏଥିସହ ଅଂଶଗ୍ରହଣକାରୀମାନେ କ୍ଷେତ୍ରସ୍ତରୀୟ ସମସ୍ୟା ଉପସ୍ଥାପନ କରି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇଥିଲେ ।
ଏହି ତାଲିମ ଶିବିରରେ ରାଇରଙ୍ଗପୁର, ଯଶୀପୁର, ଠାକୁରମୁଣ୍ଡା, ଜାମଦା, ବିଜାତଳା, କୁସୁମୀ, ତିରିଂ ଓ ବହଳଦା ବ୍ଲକ୍ରୁ କର୍ମୀମାନେ ଯୋଗଦେଇଥିଲେ । ଆକାଂକ୍ଷୀ ବ୍ଲକ୍ ଫେଲୋ, ରାଇରଙ୍ଗପୁରର ଅନନ୍ୟା ବଳିଆରସିଂହ ଏବଂ କୁସୁମୀର ଏସ୍. ଶୁଭଲକ୍ଷ୍ମୀ କାର୍ଯ୍ୟକ୍ରମର ସମନ୍ୱୟ ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଡା. ଗାୟତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
