Samrat Bihar cm

ବିହାରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ, କାର୍ଯ୍ୟରେ ଅବହେଳା ପାଇଁ ୧୫ ଅଧିକାରୀ ନିଲମ୍ବିତ

ଦେଶ - ବିଦେଶ

ପାଟନା : ବିହାରରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସମ୍ରାଟ ଚୌଧୁରୀ । ସହଯୋଗ ଶିବିରରେ ଅଭିଯୋଗ ଶୁଣାଣି ସମୟରେ ଏକାଥରେ ପ୍ରାୟ ୧୫ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ନିର୍ଦ୍ଧାରିତ ସମୟରେ ଲୋକଙ୍କ ସମସ୍ୟାର ସମାଧାନ ନ କରିବା ଏବଂ ସରକାରୀ ନିୟମ ପାଳନରେ ଅବହେଳା କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସହଯୋଗ ଶିବିରରେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ଏହି ସମୟରେ କାର୍ଯ୍ୟରେ ଅବହେଳା କରୁଥିବା ୧୫ ଜଣ ଅଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଅନେକ ଅଞ୍ଚଳର ସିଓ ରହିଛ ନ୍ତି। ସମସ୍ତଙ୍କ ବିରୋଧରେ ବିଭାଗୀୟ ତଦନ୍ତ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କାର୍ଯ୍ୟାନୁଷ୍ଠାନ ସହ ଅବହେଳା କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସମ୍ରାଟ ଚୌଧୁରୀ । ମୁଖ୍ୟମନ୍ତ୍ରୀ ସଚିବାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ସହଯୋଗ ପୋର୍ଟାଲରେ ମିଳୁଥିବା ଅଭିଯୋଗଗୁଡ଼ିକର କେବଳ ସମୟସୀମା ମଧ୍ୟରେ ସମାଧାନ ନୁହେଁ, ବରଂ ସମାଧାନର ଗୁଣବତ୍ତା ଉପରେ ମଧ୍ୟ ସମୀକ୍ଷା କରାଯିବ । ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଏବଂ ମୁଖ୍ୟମନ୍ତ୍ରୀ ସଚିବାଳୟର ଅଧିକାରୀମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଅଧିକାରୀ ଅଭିଯୋଗକାରୀଙ୍କ ସମସ୍ୟାର ବାସ୍ତବ ସମାଧାନ ନ କରନ୍ତି ତେବେ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।