ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟସ୍ତରୀୟ ଓଡ଼ିଶା ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ୨୦୨୬ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଔଦ୍ୟୋଗିକତା ତଥା ଷ୍ଟାର୍ଟ-ଅପ ସ୍ଥାପନରେ ସହଯୋଗ କରିବା ଲକ୍ଷ୍ୟ ନେଇ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତିଯୋଗିତାରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ଅବସରପ୍ରାପ୍ତ ମୁଖ୍ୟ ପ୍ରବନ୍ଧକ ଶ୍ରୀ ଅରୁଣ କୁମାର ପାଢ଼ୀ ଓ ଗ୍ରୀନ୍ହେଭେନ୍ ଆଗ୍ରୋ ଭେଞ୍ଚର୍ସର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ଚଣ୍ଡୀପ୍ରସାଦ ସୁଆର ବିଚାରକ ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ୬୮ଟି ପ୍ରକଳ୍ପ ମଧ୍ୟରୁ ଯୋଗ୍ୟତା ପ୍ରାପ୍ତ କରିଥିବା ୧୫ଟି ଷ୍ଟାର୍ଟଅପ୍ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ । ଏଥିରେ ୭ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଥିଲା । ବିଜେତା ମାନେ ହେଲେ ଚିତ୍ରଡା କଲେଜର ଦିନେଶ କୁମାର ମହାନ୍ତ ଓ ଯଶବନ୍ତ ଶେଖର ଢାଲ, ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ଦେବସ୍ମିତ ସେଠୀ ଓ ପ୍ରିୟଙ୍କା କର୍ମକାର, ବୈଶିଙ୍ଗା ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ମୋନାଲିସା ମହାନ୍ତ, ସୁମିତା ହେମ୍ବ୍ରମ, ବଳରାମ ମାଝୀ, ଜ୍ୟୋତିର୍ମୟୀ ପୃଷ୍ଟି ଓ ଜାହ୍ନବୀ ପଣ୍ଡା, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗର ଶରତ କୁମାର ଜେନା ଓ ଶୁଭମ ପୃଷ୍ଟି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ରିୟରଞ୍ଜନ ବେହେରା, ଆଶିଷ କୁମାର ସାହୁ ଓ ସୌମ୍ୟ ରଞ୍ଜନ ସାମଲ, ବାରିପଦା ଏମ୍.ପି.ସି. ସ୍ୱୟଂଶାସିତ ମହାବିଦ୍ୟାଳୟର ଶୁଭଜ୍ୟୋତି ପ୍ରଧାନ ଏବଂ ବାରିପଦା ଶ୍ରୀ ସାଇ ସିଦ୍ଧି କଲେଜର ସୁଲଗ୍ନା ସୁଚିତ୍ରା ପାତ୍ର ଓ ଲିପିକା ନାୟକ ।
ଏହି ପ୍ରତିଟି ଟିମ୍ଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ, ଯାହା କି ସେମାନଙ୍କୁ ୪୦,୦୦୦, ୪୦,୦୦୦, ୨୦,୦୦୦ ଏପରି ୩ଟି କିସ୍ତିରେ ପ୍ରଦାନ କରାଯିବ । ଉଦ୍ଯାପନୀ ସମାରୋହରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର ସିଂହ, କୁଳସଚିବ ସୁଶ୍ରୀ ସୁମିତା ସିଂ, ବରିଷ୍ଠ ପ୍ରଫେସର ପ୍ର. ଏମ୍ ହିମବିନ୍ଦୁ, ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ବିଶ୍ୱବିଦ୍ୟାଳୟର ଷ୍ଟାର୍ଟଅପ୍ ନୋଡାଲ୍ ଅଧିକାରୀ ଡ. ଗାର୍ଗୀ ମହାନ୍ତି ଓ ସଂଯୋଜକ ଡ. ଭୁବନେଶ୍ୱର ଶବର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
