IMG 20261103 WA0252

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱ ସଂରକ୍ଷିତ ଜୈବମଣ୍ଡଳ ଦିବସ ପାଳିତ

ରାଜ୍ୟ
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଲିଟେରାରୀ କ୍ଲବ୍‌ ଏବଂ ମୟୂରଭଞ୍ଜର ଇକୋ ଫ୍ରେଣ୍ଡ୍‌ ଆପେକ୍ସ୍‌ ଫରେଷ୍ଟ ପ୍ରୋଟେକ୍ସନ କମିଟିର ମିଳିତ ଆନୁକୂଲ୍ୟରେ ବିଶ୍ୱ ସଂରକ୍ଷିତ ଜୈବମଣ୍ଡଳ ଦିବସ ଅବସରରେ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଏବଂ ଇକୋ ଫ୍ରେଣ୍ଡ୍‌ ଆପେକ୍ସ୍‌ ଫରେଷ୍ଟ ପ୍ରୋଟେକ୍ସନ କମିଟିର ସଭାପତି ଡକ୍ଟର ଶ୍ୟାମ ସୁନ୍ଦର ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଜୈବବିବିଧତା ସଂରକ୍ଷଣରେ ଶିକ୍ଷାନୁଷ୍ଠାନ ଓ ଯୁବପିଢ଼ିଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।
‘ଆମେ ମୟୂରଭଞ୍ଜିଆ’ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଚୌଧୁରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିମିଳିପାଳର ପ୍ରାକୃତିକ ସମ୍ପଦ, ଆଦିବାସୀ ଜନଜୀବନ ଓ ସ୍ଥାନୀୟ ସଂସ୍କୃତିର ସୁରକ୍ଷା ଉପରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବିଶେଷ ଭାବରେ ଶିମିଳିପାଳ ନ ଥିଲେ ପୂର୍ବଭାରତର ଅଧିକାଂଶ ଅଞ୍ଚଳ ମରୁଭୂମି ହୋଇଯାଇଥାଆନ୍ତା ବୋଲି ସେ କହିଥିଲେ । ପରେ ଆପେକ୍ସ ଫରେଷ୍ଟ ପ୍ରୋଟେକ୍ସନ କମିଟିର ସଂଯୋଜକ ଶ୍ରୀ ଅରୁଣ କୁମାର ଓତା ଶିମିଳିପାଳର ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ, ବନ୍ୟପ୍ରାଣୀ ଓ ଉଦ୍ଭିଦ ବିବିଧତା ସମ୍ପର୍କରେ ଆଲୋକପାତ କରିଥିଲେ । କମିଟିର ପ୍ରତିଷ୍ଠାତା ସମ୍ପାଦକ ଡ. ରମାକାନ୍ତ ମହାନ୍ତ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ  କରିଥିଲେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ତଥା ଜୈବମଣ୍ଡଳର ପୂର୍ବତନ ନିର୍ଦ୍ଦେଶକ ଡ. ଦେବବ୍ରତ ସ୍ୱାଇଁଙ୍କ ବାର୍ତ୍ତାକୁ ଆଭାଷୀ ମାଧ୍ୟମରେ ପରିବେଷଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ ‘ନୈସର୍ଗିକ ଶୋଭା ବିମଣ୍ଡିତ ଆମ ଶିମିଳିପାଳ’ ଶୀର୍ଷକ ଏକ ପ୍ରବନ୍ଧ ପାଠ କରିଥିଲେ । ବିଶ୍ୱବିଦ୍ୟାଳୟର ଲିଟେରାରୀ କ୍ଲବ୍‌ର ସଂଯୋଜିକା ଡ. ଶୁଭାନୀ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ, ନଡ଼ିଆ ପ୍ରଦାନ ଓ ସମ୍ବର୍ଦ୍ଧନା ସହ ଶ୍ରୀଜଗନ୍ନାଥ ଏବଂ ଶିମିଳିପାଳର ପ୍ରସିଦ୍ଧ ବାଘୁଣୀ ଖଇରୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ସଭାର ଶୁଭାରମ୍ଭ ହୋଇଥିଲା । ଝୁମର ରାଣୀ ବିନ୍ଦୁମତୀ ମହାନ୍ତ ଶିମିଳିପାଳ ଉପରେ ଏକ ଝୁମର ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଡ. ରମାକାନ୍ତ ମହାନ୍ତଙ୍କ ଶିମିଳିପାଳ ଉପରେ ଲିଖିତ ଏକ ପୋଷ୍ଟରକୁ ଲୋକାର୍ପିତ କରାଯାଇଥିଲା । ଏହି ଉପଲକ୍ଷେ ଶିମିଳିପାଳ ଉପରେ ଓଡ଼ିଆ ଓ ଇଂରାଜୀ କବିତା ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଉପସ୍ଥିତ ସମସ୍ତେ ଜୈବବିବିଧତା, ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।