IMG 20261101 WA0315

ମୟୂରଭଞ୍ଜ ବ୍ରାହ୍ମଣ ମହାସଂଘର ଜିଲ୍ଲାସ୍ତରୀୟ ବୈଠକ

ରାଜ୍ୟ
  •  ୟୁଜିସି ନୂତନ ନିୟମାବଳୀର ପୁନର୍ବିଚାର ଦାବିରେ ନଭେମ୍ବର ୩ ରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ନେଇ ନିଷ୍ପତ୍ତି
ବାରିପଦା :ଓଡ଼ିଶା ବ୍ରାହ୍ମଣ ମହାସଂଘର ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ମଧୁବନ ସ୍ଥିତ ଶ୍ରୀ ଶ୍ରୀ ହରିବଳ ଦେବ ଜୀଉ ଶିଶୁ ମନ୍ଦିର ପରିସରରେ ଜିଲ୍ଲା ସଭାପତି ଶ୍ରୀ ଅଲଖ ରଞ୍ଜନ ପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଗଠନର ସାଂଗଠନିକ ସୁଦୃଢ଼ୀକରଣ, ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ସହିତ ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସମାନତା ଓ ନ୍ୟାୟ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ ଡ଼ା ଆଦିତ୍ୟ କୁମାର ପଣ୍ଡା ସଭାର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ଉପ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ କ୍ଷେତ୍ରମୋହନ ପଣ୍ଡା ବ୍ରାହ୍ମଣ ମହାସଭା କୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଗଠନର କାର୍ଯ୍ୟକଳାପକୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଓ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ସହ ଅଧିକରୁ ଅଧିକ ସଦସ୍ୟଙ୍କୁ ଯୋଡ଼ିବା ଦିଗରେ ସମସ୍ତେ ମିଳିତ ଉଦ୍ୟମ କରିବାକୁ ସେ ମତ ପ୍ରକାଶ କରିଥିଲେ ।
ସେହିପରି ଜିଲ୍ଲା ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ସଞ୍ଜୟ ଚୌଧୁରୀ ଭାରତୀୟ ସଂସ୍କୃତି, ପରମ୍ପରା ଓ ଜ୍ଞାନର ମୂଳ ଆଧାର ଭାବେ ସଂସ୍କୃତ ଭାଷାର ଗୁରୁତ୍ୱ ଉପରେ ନିଜର ମତ ରଖିଥିଲେ । ସଂସ୍କୃତ ଭାଷାର ସୁରକ୍ଷା, ସଂରକ୍ଷଣ ଓ ଲୋକପ୍ରିୟତା ବୃଦ୍ଧି ପାଇଁ ଏହାକୁ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବାଧ୍ୟତାମୂଳକ ପାଠ୍ୟବିଷୟ ଭାବେ ପ୍ରଚଳନ କରିବା ନିମନ୍ତେ ସରକାରଙ୍କ ନିକଟରେ ଦାବି ଓ ଉଦ୍ୟମ କରାଯିବା ଉଚିତ ବୋଲି ସେ ପ୍ରସ୍ତାବ ଆଗତ କରିଥିଲେ ।
ବୈଠକର ଅନ୍ୟତମ ପ୍ରମୁଖ ଆଲୋଚ୍ୟ ବିଷୟ ଥିଲା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ଦ୍ୱାରା ଜାନୁଆରୀ ୧୩, ୨୦୨୬ ରେ ଅଧିସୂଚିତ ଉଚ୍ଚଶିକ୍ଷାନୁଷ୍ଠାନ ରେ ସମାନତା ପ୍ରୋତ୍ସାହନ ସମ୍ପର୍କିତ ନୂତନ ନିୟମାବଳୀ । ଏହି ନିୟମାବଳୀର କେତେକ ବ୍ୟବସ୍ଥାର ପରିସର, ପ୍ରୟୋଗ ଓ ଛାତ୍ରଛାତ୍ରୀଙ୍କ ଅଧିକାର ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ସଭାରେ ମତବିନିମୟ ହୋଇଥିଲା । ସମାଜର ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାନ ନ୍ୟାୟ, ସୁରକ୍ଷା ଓ ମର୍ଯ୍ୟାଦା ମିଳିବା ସହିତ ଅଭିଯୋଗର ନିରପେକ୍ଷ ତଦନ୍ତ, ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ଅଭିଯୋଗ ବିରୋଧରେ ଉପଯୁକ୍ତ ସୁରକ୍ଷା ଏବଂ ନିଜ ପକ୍ଷ ରଖିବାର ଯଥେଷ୍ଟ ସୁଯୋଗ ରହିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା । ଏଥିସହିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜାତିଗତ ଭେଦଭାବ ଓ ନିର୍ଯାତନାର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ସାମାଜିକ ସଦ୍‌ଭାବ, ପାରସ୍ପରିକ ସମ୍ମାନ ଓ ଭାଇଚାରା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଉକ୍ତ ନୂତନ ନିୟମାବଳୀର କେତେକ ବ୍ୟବସ୍ଥାର ପୁନର୍ବିଚାର, ଆବଶ୍ୟକୀୟ ସଂଶୋଧନ ତଥା ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସମାନ ଆଇନଗତ ସୁରକ୍ଷା ସୁନିଶ୍ଚିତ କରିବା ଦାବିରେ ଆସନ୍ତା ୩ ନଭେମ୍ବର ୨୦୨୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ମାନନୀୟ ରାଷ୍ଟ୍ରପତି ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୃଥକ୍ ପୃଥକ୍ ସ୍ମାରକପତ୍ର ପ୍ରଦାନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ସଭାରେ ମତ ପ୍ରକାଶ ପାଇଥିଲା ଯେ, ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାରର ଜାତିଗତ ଭେଦଭାବ, ଅପମାନ, ନିର୍ଯାତନା କିମ୍ବା ଅନ୍ୟାୟକୁ କଦାପି ସମର୍ଥନ କରାଯାଇପାରିବ ନାହିଁ । ଐତିହାସିକ ଭାବେ ବଞ୍ଚିତ ଓ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ଯେତିକି ଆବଶ୍ୟକ, ସେହିପରି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅଭିଯୋଗର ନିରପେକ୍ଷ ଶୁଣାଣି ଓ ନ୍ୟାୟସଙ୍ଗତ ତଦନ୍ତର ସୁଯୋଗ ଦେବା ମଧ୍ୟ ସମାନ ଭାବେ ଜରୁରୀ । ଏହି ପଦକ୍ଷେପ କୌଣସି ବର୍ଗର ଅଧିକାରକୁ କ୍ଷୁର୍ଣ୍ଣ କରିବା କିମ୍ବା ଭେଦଭାବକୁ ପ୍ରୋତ୍ସାହନ ଦେବା ପାଇଁ ନୁହେଁ; ବରଂ ସମ୍ବିଧାନର ସମାନତା, ନ୍ୟାୟ, ମର୍ଯ୍ୟାଦା ଓ ଭ୍ରାତୃତ୍ୱ ଭଳି ମୌଳିକ ଆଦର୍ଶକୁ ଶିକ୍ଷା କ୍ଷେତ୍ରରେ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି  କୋଷାଧ୍ୟକ୍ଷ ଦୋଳ ଗୋବିନ୍ଦ ଦାଶ,ବରିଷ୍ଠ ସଦସ୍ୟ ଗୋପୀନାଥ କର,
ଅରୁଣ କୁମାର ମହାପାତ୍ର, ମାନସ କୁମାର ଆଚାର୍ଯ୍ୟ, ପ୍ରଦୀପ କୁମାର ପାଣିଗ୍ରାହୀ, ଚିତ୍ତ ରଞ୍ଜନ ପଣ୍ଡାଙ୍କ ସମେତ ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ ।
ବୈଠକରେ ସଂଗଠନର ଏକତା, ସାଂଗଠନିକ ଶୃଙ୍ଖଳା ଓ ସାମୂହିକ ଉଦ୍ୟମ ମାଧ୍ୟମରେ ସମାଜର ବିଭିନ୍ନ ଗଠନମୂଳକ କାର୍ଯ୍ୟରେ ମହାସଭାର ଭୂମିକାକୁ ଆହୁରି ବ୍ୟାପକ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଶେଷରେ ଜିଲ୍ଲା ଯୁଗ୍ମ ସମ୍ପାଦକ କମଲାଂଶୁ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଆସିଥିବା ଶତାଧିକ ବ୍ରାହ୍ମଣ ସଦସ୍ୟ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ବୈଠକ ସମାପ୍ତ ହୋଇଥିଲା ।