ମାଲକାନଗିରି: ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ପୁଅ ଗୁରୁତର । ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅର୍ନ୍ତଗତ ଏମଭି-36 ଗାଁରେ । ମୃତକ ହେଲେ ରବୀନ୍ଦ୍ର ନାଥ ସରକାର ଓ ତାଙ୍କ ପତ୍ନୀ ରେବା ସରକାର । ଦମ୍ପତ୍ତିଙ୍କ ୧୨ ବର୍ଷୀୟ ପୁଅ ଗୁରୁତର ଆହତ ହୋଇଛି । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ପଡ଼ୋଶୀ ବିଶଙ୍କର ମଣ୍ଡଳକୁ ଗିରଫ କରିଛି ପୋଲିସ୍ ।
ଆଜି ଭୋରୁ ପ୍ରାୟ ୩ ଟାରେ ଅଭିଯୁକ୍ତ ବିଶଙ୍କର ମଣ୍ଡଳ ପଡ଼ୋଶୀ ଘରର ଗ୍ରୀଲ୍ ଭାଙ୍ଗି ଘର ଭିତରକୁ ପ୍ରବେଶ କରି ରବୀନ୍ଦ୍ର ନାଥ ସରକାର ଉପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ତାଙ୍କ ଚିତ୍କାର ଶୁଣି ସ୍ତ୍ରୀ ଓ ପୁଅ ଆସିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣରେ ରବୀନ୍ଦ୍ର ଓ ତାଙ୍କ ପତ୍ନୀ ରେବା ସରକାରଙ୍କର ମୃତ୍ୟୁ ହୋଇଛି ।
ଗୁରୁତର ପୁଅକୁ ଉଦ୍ଧାର ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହତ୍ୟା କାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନି । ହେଲେ ଘରୋଇ କଳହକୁ କେନ୍ଦ୍ର କରି ଏପରି ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଓର୍କେଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅଧିକ ଛାନଭିନ କରିବ । ପୋଲିସର ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିବ ।
