ବାରିପଦା: ଦ୍ୱାଦଶ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ପାଇଁ ଅକ୍ଟୋବର 31 ଠାରୁ ସ୍ଥାନୀୟ ମ୍ୟୁନିସି ପାଲଟି ଗେଷ୍ଟ ହାଉସ ଠାରେ ପଞ୍ଜିକରଣ ଆରମ୍ଭ ହୋଇଛି l ପ୍ରଥମ ଦିନରେ ନିଜ ନିଜର ନାମ ପଞ୍ଜିକୃତ କରିବାକୁ ପ୍ରତିଯୋଗୀମାନେ ଅଭିଭାବକଙ୍କ ସହ ଆସି ପଞ୍ଜିକରଣ କରିଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ସଂସ୍କାର ଶିଶୁ ମହୋତ୍ସବ କମିଟି ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l ଏହି ପଞ୍ଜିକରଣ ପ୍ରକ୍ରିୟା ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ମ୍ୟୁନିସିପାଲଟି ଗେଷ୍ଟ ହାଉସ ଠାରେ ଜାରି ରହିବ ବୋଲି ସୂଚନା ରହିଛି l
ଆୟୋଜକଙ୍କ ସୂଚନା ମୁତାବକ ନଭେମ୍ବର 12 ରୁ ଆରମ୍ଭ ହୋଇ 15 ତାରିଖରେ ଉଦଯାପିତ ହେବାକୁଥିବା ଏହି ମହୋତ୍ସବରେ ନର୍ସରୀ ଠୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ 4 ଟି ଗ୍ରୁପରେ ଚାରିଦିନ ଧରି 60 ରୁ ଅଧିକ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ମାଆ ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ରହିଛି l ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଦ୍ୱାଦଶ ସଂସ୍କରଣକୁ ଅଧିକ ଆକର୍ଷଣୀୟ କରିବାକୁ କମିଟି ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଚଳିତ ବର୍ଷ ନଭେମ୍ବର 14 ରେ ହେବାକୁ ଥିବା ପଥ ଉତ୍ସବକୁ ବିଶିଷ୍ଟ ଟିଭି ଉପସ୍ଥାପକ ଓ ଚଳଚିତ୍ର ଅଭିନେତା ମାଗନ୍ନା ଆସିବେ l ଏଥି ସହିତ ପଥ ଉତ୍ସବରେ ଚାଲିବ କଂସ ମହାରାଜଙ୍କ ରାଜ l ପ୍ରଥମ ଥର ପାଇଁ ବରଗଡ ଧନୁଯାତ୍ରାର କଂସ ମହାରାଜଙ୍କ ଠାଣି ଓ ସଂଳାପ ରେ ଦୁଲୁକିବ ମଞ୍ଚ l ସେପଟେ ପ୍ରଥମ ଥର ପାଇଁ ବିଶିଷ୍ଟ ଚିତ୍ର ଶିଳ୍ପୀ କେଶୁ ଦାସଙ୍କ ଦ୍ୱାରା ଆୟୋଜିତ ହେବ ପ୍ରସିଦ୍ଧ ଜଉ କଣ୍ଢେଇ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ପୁଣି ବିଶିଷ୍ଟ ଚିତ୍ର ଶିଳ୍ପୀ ସୁନାରାମ ସିଂ ଙ୍କ ଦ୍ୱାରା ବ୍ୟଙ୍ଗ ଚିତ୍ର ଅଙ୍କନ କର୍ମଶାଳା ଆୟୋଜିତ ହେବ l ପିଲାଏ ତାଙ୍କ ଠୁ ଶିଖିବେ କାର୍ଟୁନ ଅଙ୍କିବାର କଳା କୌଶଳ l ପ୍ରଥମ ଥର ପାଇଁ ବିଶିଷ୍ଟ ଚିତ୍ର ଶିଳ୍ପୀ ସମରେନ୍ଦ୍ର ବେହେରାଙ୍କ ଦ୍ୱାରା ପିଲା ମାନଙ୍କୁ ଲାଇଭ ସ୍ମକ ଆର୍ଟ ଅଙ୍କନ ସହ ଅନ୍ୟାନ୍ୟ କୌଶଳ ପ୍ରଶିକ୍ଷଣ ଦିଆଯିବ l ପ୍ରତିବର୍ଷ ପରି ବିଶିଷ୍ଟ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ଓ ସାଥୀଙ୍କ ଦ୍ୱାରା ବାଲୁକା କଳା ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହେବ l
କୁନି ରିପୋର୍ଟର କର୍ମ ଶାଳାରେ ପିଲାଙ୍କୁ ଆଙ୍କରିଂ ଓ ଭଏସ ମଡ୍ୟୁଲେସନ ସାଙ୍ଗକୁ ରିପୋର୍ଟିଂର କଳା କୌଶଳ ଶିକ୍ଷା ଦିଆଯିବ l ପୂର୍ବ ବର୍ଷ ଠୁ ଏଥର ମଞ୍ଚ ସାଜସଜ୍ଜା ଭିନ୍ନ ଥିମ ରେ ହେବାକୁ ଥିବା ବେଳେ ସେଲ୍ଫି ପଏଣ୍ଟ କୁ ଆହୁରି ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ହୋଇଛି l ପିଲାଙ୍କ ବ୍ୟକ୍ତିତ୍ୱ ବିକାଶ ସହିତ ଅନ୍ତର୍ନିହିତ ଗୁଣାବଳୀର ପ୍ରଦର୍ଶନ ପାଇଁ ଆୟୋଜିତ ଏହି ମହୋତ୍ସବରେ ସାମିଲ ହୋଇ ପିଲାଙ୍କୁ ସୁଯୋଗ ଦେବାକୁ ଆହ୍ୱାନ କରା ଯାଉଛି l
