- ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସହଭାଗିତା ଅପରିହାର୍ଯ୍ୟ: ଅତିରିକ୍ତ ଜିଲ୍ଲାପାଳ
ବାରିପଦା: ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି ଓ ସାଧୁତାର ମୂଲ୍ୟବୋଧ ପ୍ରସାର ଉଦ୍ଦେଶ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ ପରିପ୍ରେକ୍ଷୀରେ ଆଜି ବାରିପଦାଠାରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣରେ ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା ।
ଜିଲ୍ଲା ପ୍ରଶାସନ ଓ ବାରିପଦା ଭିଜିଲାନ୍ସ ୟୁନିଟ୍ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ସମାଜରୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସମସ୍ତ ବର୍ଗର ଲୋକଙ୍କ ସକ୍ରିୟ ସହଭାଗିତା ଆବଶ୍ୟକ । ଚଳିତ ବର୍ଷର ସଚେତନତା ସପ୍ତାହର ବିଷୟବସ୍ତୁ “ଦୁର୍ନୀତି ନିବାରଣ: ସାଧୁତାରୁ ସମୃଦ୍ଧି” ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ଦୁର୍ନୀତି ନିବାରଣ ସମ୍ପର୍କିତ ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ସ୍ଲୋଗାନ ମାଧ୍ୟମରେ ସହରବାସୀଙ୍କୁ ସଚେତନ କରାଇଥିଲେ । ସରକାରୀ ସେବା ପାଇବା ପାଇଁ ଲାଞ୍ଚ ଦେବା କିମ୍ବା ସେବା ପ୍ରଦାନ ବଦଳରେ ଲାଞ୍ଚ ଗ୍ରହଣ କରିବା ଉଭୟ ଆଇନତଃ ଅପରାଧ ବୋଲି ସେମାନେ ବାର୍ତ୍ତା ଦେଇଥିଲେ । ଏଥିସହ ପ୍ରତ୍ୟେକ ନାଗରିକଙ୍କୁ ନିଜ କାର୍ଯ୍ୟରେ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ବାରିପଦା ଭିଜିଲାନ୍ସ ୟୁନିଟ୍ର ଇନ୍ସପେକ୍ଟର ବିକାଶ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ-ଶିକ୍ଷୟିତ୍ରୀ ଓ ସମ୍ପୃକ୍ତ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ଭିଜିଲାନ୍ସ ୟୁନିଟ୍ର କର୍ମଚାରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।
