IMG 20261031 WA0245

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ରାଜ୍ୟ
  • ସାମୂହିକ ରାଷ୍ଟ୍ରୀୟ ଏକତା ଶପଥପାଠ ଅନୁଷ୍ଠିତ
ବାରିପଦା: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସାମୂହିକ ରାଷ୍ଟ୍ରୀୟ ଏକତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ଉପସ୍ଥିତ ଥିଲେ ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଦେଶର ଜଣେ ମହାନ ରାଷ୍ଟ୍ରନାୟକ ତଥା ଜାତୀୟ ଏକତାର ପ୍ରତୀକ ଭାବେ ସ୍ମରଣ କରିଥିଲେ । ଦେଶର ଏକତା ଓ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଓ ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଉଲ୍ଲେଖ କରିବା ସହ ଏକ ସୁଦୃଢ଼ ଓ ଏକତାବଦ୍ଧ ରାଷ୍ଟ୍ର ଗଠନ ପାଇଁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଜଣାଇଥିଲେ । ଏହାପରେ ସେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରୀୟ ଏକତାର ଶପଥ ପାଠ କରାଇଥିଲେ । ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିବା ସହ ଦେଶର ସଂହତି ରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ନିଜ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ଓ ପ୍ରତିବଦ୍ଧ ରହିବାର ବାର୍ତ୍ତା ଏହି ଦିବସ ପାଳନ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ସଂଚାଳନ କରିଥିଲେ । ଏଥିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ସେକ୍ସନ ଅଫିସର, ରାଜସ୍ୱ ସହାୟକ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇ ସାମୂହିକ ଶପଥ ପାଠ କରିଥିଲେ ।