ବାରିପଦା : ପାୱାରଗ୍ରିଡ୍, ବାରିପଦା ଉପକେନ୍ଦ୍ର, କୁଚେଇରେ ୨୬ ଅକ୍ଟୋବରରୁ ୧ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ପାଳିତ ହେଉଥିବା ସତର୍କତା ସଚେତନତା ସପ୍ତାହ ଅବସରରେ ଏକ ୱାକାଥନ୍ ଆୟୋଜିତ ହୋଇଥିଲା I ଚଳିତ ବର୍ଷର ବିଷୟବସ୍ତୁ “ସତ୍ୟନିଷ୍ଠାରୁ ସମୃଦ୍ଧି” ବିଷୟବସ୍ତୁ ଉପରେ ଆୟୋଜିତ ଏହି ୱାକାଥନ ଉପକେନ୍ଦ୍ର ପ୍ରଭାରୀ ତଥା ମୁଖ୍ୟ ପ୍ରବନ୍ଧକ ସରୋଜ କୁମାର ଲାକ୍ରା ଓ ପ୍ରବନ୍ଧକ ମନୋଜ କୁମାର ସାହୁଙ୍କ ମାର୍ଗଦର୍ଶନରେ ଉପକେନ୍ଦ୍ରରୁ କୁଚେଇ ଗ୍ରାମ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା I ଏଥିରେ କର୍ମଚାରୀ ପ୍ରଦୀପ କୁମାର ସ୍ୱାଇଁ, ଦେବାଶିଷ ମହାନ୍ତ, ସ୍ମୃତିରଞ୍ଜନ ବେହେରା ଏବଂ ରତିକାନ୍ତ ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ I
ଏହି ୱାକାଥନ୍ ମାଧ୍ୟମରେ ସଚ୍ଚୋଟତା, ପାରଦର୍ଶିତା ଓ ଦୁର୍ନୀତିମୁକ୍ତ କାର୍ଯ୍ୟଶୈଳୀର ବାର୍ତ୍ତା ପ୍ରଚାର କରାଯାଇଥିଲା I ଏଥିସହ ସମାଜରେ ସତ୍ୟନିଷ୍ଠା ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା I ଏହି ଅବସରରେ ଉପକେନ୍ଦ୍ର ପ୍ରଭାରୀ ସରୋଜ କୁମାର ଲାକ୍ରା କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ସତ୍ୟନିଷ୍ଠା ଓ ନିଷ୍ଠାର ସହିତ ନିଜ କର୍ତ୍ତବ୍ୟ ସମ୍ପାଦନ କଲେ ଦେଶର ପ୍ରଗତିକୁ କୌଣସି ଶକ୍ତି ରୋକିପାରିବ ନାହିଁ I ଏକ ସ୍ୱଚ୍ଛ, ଦାୟିତ୍ୱବାନ ଓ ଦୁର୍ନୀତିମୁକ୍ତ କାର୍ଯ୍ୟପରିବେଶ ଗଠନ ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ I ଏହି ଅବସରରେ ବିଦ୍ୟାଳୟସ୍ତରୀୟ ପ୍ରାଚୀର ଚିତ୍ରାଙ୍କନ, କର୍ମଚାରୀ ଓ ଗୃହିଣୀମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା, ସ୍ଲୋଗାନ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରବନ୍ଧକ ମନୋଜ କୁମାର ସାହୁ ଜଣାଇଛନ୍ତି I
