ଭୁବନେଶ୍ବର: ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ | ୧୫୦ କିମି ବେଗରେ ବହିପାରେ ପବନ! ଓଡିଶାକୁ ଘାରିଲାଣି ବାତ୍ୟା ଭୟ | ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବାତ୍ୟା ଆଶଙ୍କା ବଢ଼ିଛି। ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍ର ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୭ ରାତି କିମ୍ବା ୨୮ ତାରିଖ ସକାଳେ ଆନ୍ଧ୍ର ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ହୋଇପାରେ ବୋଲି କିଛି ମଡେଲ୍ ଆକଳନ କରିଛନ୍ତି।
ତେବେ IMDର ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ଥିବା ଘୂର୍ଣ୍ଣିବଳୟର ପ୍ରଭାବରେ, ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ୨୪ ଅକ୍ଟୋବର ସୁଦ୍ଧା ଅଧିକ ଘନୀଭୂତ ହୋଇ ଏକ ‘ଅବପାତ’ ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏବଂ ୨୫ ଅକ୍ଟୋବରରେ ଏକ ‘ଗଭୀର ଅବପାତ’ ରେ ପରିଣତ ହେବାର ସମ୍ଭାବନା ରହିଛି। ୨୬ ଅକ୍ଟୋବର ସକାଳ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ‘ବାତ୍ୟା’ ରେ ପରିଣତ ହେବାର ପ୍ରବଳ ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୨ ଦିନ ମଧ୍ୟରେ ଆହୁରି ଅଧିକ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ।
ଏଥିସହିତ ECMWF, GFS ଓ CMC ଭଳି ପ୍ରମୁଖ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍ର ଆକଳନରେ କାକିନାଡା, ଶ୍ରୀକାକୁଲମ-ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳ କିମ୍ବା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଦେଖାଯାଇଛି। ଏହି ସମୟରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ହେବା ସହ ଝଟକା ପବନ ୯୦ କିଲୋମିଟର ଛୁଇଁପାରେ ବୋଲି ଆକଳନ କରାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟା ଅଧିକ ଶକ୍ତିଶାଳୀ ହୋଇପାରେ। କିଛି ମଡେଲ୍ରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦-୧୪୫ କିଲୋମିଟର ପର୍ଯ୍ୟନ୍ତ ହେବାର ଆକଳନ ରହିଛି।
