ବାରିପଦା: ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଟାଟା ଟ୍ରଷ୍ଟସ୍ର ସହଯୋଗରେ ଆୟୋଜିତ ‘ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’ ବାରିପଦା ଷ୍ଟାଡିୟମ୍ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି I ଏଥିରେ ୧୦ଟି ବାଳକ ଦଳ ଓ ୩ଟି ବାଳିକା ଦଳର ପ୍ରାୟ ୨୫୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗରେ ନିଚୁଆପଦା ଚାମ୍ପିଅନ୍ ଓ ଭୁରୁଡୁବଣୀ ରନର୍ସଅପ୍ ହୋଇଥିବାବେଳେ ବାଳିକା ବିଭାଗରେ ମସିଣାକାଟି ଦେଉଳି ଚାମ୍ପିଅନ୍ ଓ ଦେବେନ୍ଦ୍ରପୁର ରନର୍ସଅପ୍ ହୋଇଥିଲା I
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଦେଶକ ଅମର କୁମାର ସେଠୀ, ସଂସ୍ଥାର ପରାମର୍ଶଦାତା ସୋମନାଥ ସିଂହ ଏବଂ ଅନ୍ତର୍ଜାତୀୟ ରଗ୍ବୀ ଖେଳାଳି ସନ୍ଧ୍ୟାରାଣୀ ଟୁଡୁ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ I ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ ମୟୂରଭଞ୍ଜ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ର ସହଯୋଗ ପାଇଁ ଫ୍ୟୁଚର ଷ୍ଟାର ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି। କେବଳ ଫୁଟବଲ୍ ନୁହେଁ, ପିଲାମାନଙ୍କ ଆଗ୍ରହ ଅନୁଯାୟୀ ଆଗାମୀ ଦିନରେ ଖୋ-ଖୋ, କବାଡ଼ି ଓ ରଗ୍ବୀ ଭଳି ଅନ୍ୟାନ୍ୟ କ୍ରୀଡ଼ାକୁ ମଧ୍ୟ ଏହି ପ୍ରକଳ୍ପରେ ସାମିଲ କରାଯାଇ ପାରଦର୍ଶୀ କରାଯିବ ବୋଲି ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ସୂଚନା ଦେଇଛନ୍ତି। ଏହି ପ୍ରାରମ୍ଭିକ ଟୁର୍ଣ୍ଣାମେଣ୍ଟ ପରେ ଭବିଷ୍ୟତରେ ଅନ୍ୟାନ୍ୟ କ୍ରୀଡ଼ାର ବ୍ୟାପକ ଉନ୍ନତି ଆଣିବାକୁ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି।
ଗ୍ରାମାଞ୍ଚଳର ଉଦୀୟମାନ ଖେଳାଳିଙ୍କ ସ୍ୱପ୍ନ, ସଂଘର୍ଷ ଓ ଆତ୍ମବିଶ୍ୱାସର ଏକ ସୁନ୍ଦର ମଞ୍ଚ ଥିଲା। ପଡ଼ିଆରେ ଖେଳାଳିଙ୍କ ଉତ୍ସାହ, ଦଳଗତ ଏକତା ଓ ଜିତିବାର ଜୋଶ ଏହି ଆୟୋଜନକୁ ସ୍ମରଣୀୟ କରିଥିଲା। ଆଗାମୀ ଦିନରେ ଏହି ଛୋଟ ଛୋଟ ପଦକ୍ଷେପ ମୟୂରଭଞ୍ଜରୁ ନୂଆ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ସହ ଅନେକ ଯୁବକଯୁବତୀଙ୍କୁ ନିଜ ସ୍ୱପ୍ନ ପୂରଣ କରିବାର ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି। ଏହି ମହତ୍ ଉଦ୍ୟମକୁ ସଫଳ କରିଥିବା ସମସ୍ତ ଅତିଥି, ପ୍ରଶିକ୍ଷକ, ମାଷ୍ଟର ଟ୍ରେନର, କର୍ମଚାରୀ ଓ ସହଯୋଗୀଙ୍କୁ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।
