ଗୁଜୁରାଟ: ଗୁଜୁରାଟର ଭରୁଚ ଜିଲ୍ଲାର ସାୟଖା ଜିଆଇଡିସିରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଚିକିତ୍ସା ସମୟରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଏଥିରେ ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣା ଶିଳ୍ପ ଅଞ୍ଚଳରେ ବ୍ୟାପକ ଆତଙ୍କ ସୃଷ୍ଟି କରିଛି ।
ସୂଚନାନୁଯାୟୀ, ସାୟଖାର ଶ୍ୟାନଜିଲ୍ ଫାର୍ମା କମ୍ପାନୀରେ ହାଇଡ୍ରୋଜେନ୍ ରାସାୟନିକ ପ୍ରକ୍ରିୟା ଚାଲିଥିବା ସମୟରେ ବଏଲରରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଯୋଗୁଁ ଧୂଆଁ ସମଗ୍ର ଅଞ୍ଚଳରେ ବ୍ୟାପିଯାଇଥିଲା । ଫଳରେ ବ୍ୟାପକ ଚିନ୍ତା ସୃଷ୍ଟି କରିଥିଲା । ଏହି ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩ ଜଣ ଆହତ ହୋଇଛନ୍ତି ।
ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଏବଂ ଅଗ୍ନି ନିର୍ବାପନ ପ୍ରୟାସ ଆରମ୍ଭ କରିଥିଲେ। ତଦନ୍ତ ସମାପ୍ତ ହେବା ପରେ ହିଁ ବିସ୍ଫୋରଣର ସଠିକ୍ କାରଣ ନିର୍ଣ୍ଣୟ କରାଯିବ।
