ବାରିପଦା : ପ୍ରକୃତି ଓ ବନ୍ୟଜନ୍ତୁପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତା ନଭେମ୍ବର ୧ ତାରିଖରୁ ଖୋଲିବ ବିଶ୍ବପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବା ସହ ପ୍ରବେଶ ପାଇଁ ଅନୁମତି ଦିଆଯିବା ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିମିଳିପାଳ ବନ୍ୟପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ ଅନୁମତିପତ୍ର କେବଳ ୱେବସାଇଟ୍ ମାଧ୍ୟମରେ ପାଇପାରିବେ।
ବିଭାଗ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ, ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକମାନେ ବାରିପଦାର ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ। ଶିମିଳିପାଳ ମଧ୍ୟକୁ ଯିବାକୁ ଥିବା ସମସ୍ତ ଚାରିଚକିଆ ଯାନ ସହ ବୈଧ ଦସ୍ତାବିଜ୍ ଏବଂ ୧୮୦ ଏମଏମ କିମ୍ବା ଅଧିକ ଗ୍ରାଉଣ୍ଡ କ୍ଲିୟରାନ୍ସ ଥିବା ଚାରିଚକିଆ ଯାନ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ଏବଂ ପ୍ରତ୍ୟେକ ଯାନ ସହ ଜଣେ ଗାଇଡ୍ ନେବା ବାଧ୍ୟତାମୂଳକ ରହିଛି। ତତ୍ସହିତ ଦୈନିକ ସର୍ବାଧିକ ପ୍ରଥମେ ପହଞ୍ଚିଥିବା ୨୫ଟି ଚାରିଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟ ଦେଇ ଏବଂ ପ୍ରଥମ ୩୫ଟି ଚାରିଚକିଆ ଯାନ ଯଶିପୁର କାଳିଆଣି ତନଖି ଫାଟକ ମଧ୍ୟ ଦେଇ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଏହି ଫାଟକ ଦେଇ ଭାରୀଯାନ ପ୍ରବେଶକୁ ନିଷେଧ କରାଯାଇଛି।
