ବିହାର: ବିହାର ହାଜିପୁର ନିକଟରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ସନ୍ଧ୍ୟାରେ ଗଙ୍ଗା ନଦୀରେ ଛୋଟ ଡଙ୍ଗା ବୁଡ଼ି ୧୩ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ବିହାରର ବୈଶାଳୀ ଜିଲ୍ଲା ରାଘୋପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପ୍ରାଣ ହରାଇଥିବା ସମସ୍ତ ୧୩ ଜଣ ଶିଶୁଙ୍କ ବୟସ ୧୫ ବର୍ଷରୁ କମ୍ । ଡଙ୍ଗାରେ ପ୍ରାୟ ୧୫ ରୁ ୨୦ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ରାମପୁର ଶ୍ୟାମଚନ୍ଦ ଗାଁର ଶିଶୁ ଥିଲେ ।
ଏକ ଭୋଜିରେ ଯୋଗଦେବା ପାଇଁ ନଦୀ ପାର ହେଉଥିବା ବେଳେ ଗତକାଲି ରାତି ପ୍ରାୟ ୮ ଟା ୩୦ ରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଜରୁରୀକାଳୀନ ଟିମ ଓ ସ୍ଥାନୀୟ ବୁଡ଼ାଳିଙ୍କ ଦ୍ଵାରା ସାତ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ଅଛି । ପାଟନାର ନାଲନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଥିବା ବୈଶାଳୀ ଜିଲ୍ଲା ମାଜିଷ୍ଟ୍ରେଟ୍ ବର୍ଷା ସିଂ ସ୍ପଷ୍ଟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
