- ମୋଟ ୧୫୮ଟି ଅଭିଯୋଗ ମଧ୍ୟରୁ ୧୨ ଅଭିଯୋଗର ହେଲା ତତ୍କାଳ ସମାଧାନ
ବାରିପଦା: ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର, ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଆନନ୍ଦ କୁମାର ଡୁଙ୍ଗ ଡୁଙ୍ଗ ପ୍ରମୁଖ ଯୋଗ ଦେଇଥିଲେ |
ପ୍ରାରମ୍ଭରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ଜନସାଧାରଣଙ୍କ ଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟାରେ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ| ଆଜିର ଏହି ଶିବିର ରେ ଜନସାଧାରଣଙ୍କ ଠାରୁ ମୋଟ ୧୫୮ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୧୧୯ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୩୯ଟି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା |ଏଥି ମଧ୍ୟରୁ ୧୨ଗୋଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା। ଆବେଦନର ଗୁରତ୍ୱକୁ ବିଚାର କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣଙ୍କୁ ଟ.୧୦,୦୦୦/-ଙ୍କା ଓ ରେଡକ୍ରସ ପାଣ୍ଠିରୁ ୨ଜଣଙ୍କୁ ଟ ୨୨,୦୦୦/-ଙ୍କା ଜିଲ୍ଲାପାଳ ମଂଜୁର କରିଛନ୍ତି।
ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟାରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ | ଅନୁଷ୍ଠିତ ଉକ୍ତ ଶିବିର ରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ସମସ୍ତ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ, ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭିନ୍ନ ଲାଇନ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ।
