IMG 20261011 WA0285

ଜନ୍ତରମନ୍ତର ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଦମନର ପ୍ରତିବାଦ 

ରାଜ୍ୟ
ବାରିପଦା: ଗଣତନ୍ତ୍ର ହତ୍ୟାକାରୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ ଦାବିରେ ଦିଲ୍ଲୀ ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆସିଥିବା ଏବଂ ଆସୁଥିବା ଯୁବ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୋଲିସର ଅମାନବୀୟ ଦମନଲୀଳା ବିରୋଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରତିବାଦ ସଭା ସାଥୀ ରଘୁନାଥ ପଣ୍ଡାଙ୍କ ସଭାପତିତ୍ବରେ ବାରିପଦା ବସ୍ ଷ୍ଟାଣ୍ଡରେ ଅନୁଷ୍ଠିତ ହୋଇ ଯାଇଛି।
ଗତ ୧୦ ତାରିଖ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ଦ୍ଵାରା ନିର୍ଧାରିତ ପ୍ରଦର୍ଶନ ସ୍ଥଳ ଜନ୍ତର ମନ୍ତରରେ ପ୍ରତିବାଦ କରିବା ପାଇଁ ଯୁବ ଛାତ୍ର ପକ୍ଷରୁ ସମସ୍ତ ପ୍ରଚାର ପ୍ରସାର ଗଣମାଧ୍ୟମ ଜରିଆରେ କରାଯାଇ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସକୁ ଅବଗତ କରାଯାଇଥିଲା। ମାତ୍ର ଗଣତନ୍ତ୍ର ଧ୍ଵଂସ କାରୀ ସମସ୍ତ ସରକାରୀ କଳ ଓ ବଳ ଏହାକୁ ଭଣ୍ଡୁର କରିବା ପାଇଁ ତାଙ୍କର ସମସ୍ତ ପ୍ରକାରର ଫୋର୍ସକୁ ଦିଲ୍ଲୀରେ ମୁତୟନ କରି ଆସୁଥିବା ଯୁବ ଛାତ୍ର, ସାଧାରଣ ଜନତାଙ୍କୁ ଉଡାଜାହାଜ, ଟ୍ରେନ, ବସ୍ ଭିତରୁ,ଘରୁ ବାହାରକୁ ବାହାରୁଥିବା ଲୋକଙ୍କୁ ଟାଣି ଗିରଫ କରିବାର ଘଟଣା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରକୁ ଦୋହଲାଇ ଦେଲାଣି। ଗୋଟିଏ ଦିନରେ ୧୭୦୦ ରୁ ଉର୍ଦ୍ଧ୍ବ ଅଘୋଷିତ ଜରୁରୀକାଳୀନ ପରିସ୍ଥିତିର ଗିରଫଦାରୀ ୧୯୭୫   ଘୋଷିତ ଜରୁରୀକାଳୀନ ସ୍ଥିତି ଠାରୁ ଗମ୍ଭୀର। ଗଣତାନ୍ତ୍ରିକ ଆନ୍ଦୋଳନକୁ ଭଣ୍ଡୁର କରିବା ସହ ଦିଲ୍ଲୀ, ହରିୟାଣା, ୟୁପି ରେ ସିଭିଲ ୱାର ସୃଷ୍ଟି କରାଗଲା। ତଥାପି ଆନ୍ଦୋଳନକାରୀ ଭୟଭୀତ ନହୋଇ ଆଗକୁ ମାଡି ଚାଲୁଛନ୍ତି। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆଗକୁ ଏ ଆନ୍ଦୋଳନ ସର୍ବବୃହତ୍ ଆନ୍ଦୋଳନର ରୂପ ନେବାକୁ ଯାଉଥିବା ବେଳେ ନୂଆ ଇତିହାସ ଲେଖିବାକୁ ଆଉ ବେଶି ସମୟ ନାହିଁ ଏବଂ ଏଭଳି ମାତ୍ରାଧିକ ଦମନଲୀଳାକୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦୃଢ଼ ନିନ୍ଦା ସହ ପ୍ରତିବାଦ କରିଛନ୍ତି l
ଏଥିରେ ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ପରମେଶ୍ବର ମହାନ୍ତ, ସିପିଏମ ର ରବି ଗୋସ୍ୱାମୀ, କଂଗ୍ରେସର ଶାନ୍ତନୁ ପାଲ୍, ସୁନୀତା ନାୟକ, ଶିବାନନ୍ଦ ଦାସ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଶ୍ରୀକାନ୍ତ ସାମଲ, କାହ୍ନୁଚରଣ ବେହେରା, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ସୁବାସ ଚନ୍ଦ୍ର ତ୍ରିପାଠୀ, ଦାଶରଥି ରାଉତ, ବସନ୍ତ କୁମାର ନାଏକ, ଶ୍ରୀକାନ୍ତ ମହାନ୍ତ,ବିଜୟ ମହାନ୍ତ, ତରୁଣ କୁମାର ମହାନ୍ତ, ମୁକେଶ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।