IMG 20261006 WA0403

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ

ରାଜ୍ୟ
ବାରିପଦା: ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ’ ବାରିପଦାସ୍ଥିତ ଷ୍ଟାଡିୟମ୍‌ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ମୟୂରଭଞ୍ଜ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୮ଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନେ ଏଥିରେ ଅଂଶଗ୍ରହଣ କରି ବିଭିନ୍ନ କ୍ରୀଡ଼ାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।
ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ସାମଗ୍ରିକ ବିକାଶ, ପ୍ରତିଭାର ପରିପ୍ରକାଶ ଓ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ‘ଉତ୍ସାହ’ ମହୋତ୍ସବ ଆୟୋଜିତ ହୋଇଆସୁଛି । ଚଳିତ ବର୍ଷ ମଧ୍ୟ ଶିଶୁମାନଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା । ମହୋତ୍ସବ ଅବସରରେ ବାଳକ ଓ ବାଳିକା ବର୍ଗରେ ପୃଥକ ଭାବେ ଫୁଟବଲ୍, ଚେସ୍, କ୍ୟାରମ୍, ଉଚ୍ଚଡିଆଁ, ଲମ୍ବଡିଆଁ, ୧୦୦ ମିଟର ଦୌଡ଼ ଓ ୨୦୦ ମିଟର ଦୌଡ଼ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଶିଶୁମାନେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ ।
ଏହି କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ବାରିପଦା ସହିଦ ସ୍ମୃତି ଭବନଠାରେ ଆୟୋଜିତ ହେବାକୁ ଥିବା ‘ମହକ’ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ଏଥିସହ କୃତୀ ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ‘ଉତ୍ସାହ’ ଓ ‘ମହକ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜନ କରିବେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗଦେଇଥିଲେ । ସେ କହିଥିଲେ ଯେ, ଶିଶୁମାନଙ୍କ ସାମଗ୍ରିକ ବିକାଶରେ ଶିକ୍ଷା ସହିତ କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟକଳାପର ଗୁରୁତ୍ୱ ରହିଛି । ଏଭଳି ମହୋତ୍ସବ ଶିଶୁମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ପ୍ରତିଭାର ବିକାଶ ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟିରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୂରଥ କୁମାର ପଟ୍ଟନାୟକ ଏବଂ ମୟୂରଭଞ୍ଜ କ୍ରୀଡ଼ା ସଂଘର ଅଧ୍ୟକ୍ଷ ବିଜୟ କୁମାର ଦାସ ଯୋଗଦେଇ ପ୍ରତିଯୋଗୀ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳଙ୍କ ସଂଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ ପ୍ରଦାନ କରିଥିଲେ ।