- ଶିଶୁ ବିବାହ ନିରୋଧ ପାଇଁ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ
ବାରିପଦା: ଜିଲ୍ଲାରେ ଶିଶୁ ବିବାହ ନିରୋଧ ତଥା ଏହାର ସମ୍ପୂର୍ଣ୍ଣ ନିରାକରଣ ପାଇଁ ବିଭିନ୍ନ ବିଭାଗ ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଶୁ ବିବାହ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ, ବିଭାଗୀୟ ସମନ୍ୱୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ବୈଠକରେ ଶିଶୁ ବିବାହର କୁପରିଣାମ ସମ୍ପର୍କରେ ଜନସଚେତନତା ବୃଦ୍ଧି, ବାଳିକାମାନଙ୍କ ଶିକ୍ଷା ଜାରି ରଖିବାକୁ ପ୍ରୋତ୍ସାହନ, କିଶୋର-କିଶୋରୀମାନଙ୍କ ସଶକ୍ତିକରଣ, ଶିଶୁ ବିବାହ ନିରୋଧ ସମ୍ପର୍କିତ ଆଇନର କଡ଼ାକଡ଼ି ସହ କାର୍ଯ୍ୟାନ୍ୱୟନ ଏବଂ ଏହି ଅଭିଯାନରେ ଜନସମୁଦାୟର ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶିଶୁ ବିବାହର ସମ୍ଭାବ୍ୟ ଘଟଣାଗୁଡ଼ିକୁ ସମୟୋଚିତ ଭାବେ ଚିହ୍ନଟ କରି ଆବଶ୍ୟକ ହସ୍ତକ୍ଷେପ କରିବା ସହ ଶିଶୁମାନଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ଦିଗରେ ବିଭାଗଗୁଡ଼ିକ ମଧ୍ୟରେ ନିରନ୍ତର ସମନ୍ୱୟ ରଖିବା ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଶିଶୁ ବିବାହ ନିରୋଧ ଏକ ସମନ୍ୱିତ ଦାୟିତ୍ୱ ହୋଇଥିବାରୁ ସମ୍ପୃକ୍ତ ସମସ୍ତ ବିଭାଗ, ସ୍ଥାନୀୟ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ ଓ ଜନସମୁଦାୟର ସହଭାଗିତାକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ମତ ପ୍ରକାଶ ପାଇଥିଲା ।
ବୈଠକରେ ସମାଜ କଲ୍ୟାଣ ଅଧିକାରୀ ସଂଯୁକ୍ତା ମହାରଣା, ମହିଳା ବିରୋଧି ଅପରାଧ ଅପରାଧ ତଦନ୍ତ ୟୁନିଟ୍ ଡିଏସପି ଜୟନ୍ତ କୁମାର ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ନିରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅଜୟ କୁମାର ଜେନା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ କୁମାର ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଭାସ୍ୱତୀ ବାରିକ, ଜିଲ୍ଲା ସୁରକ୍ଷା ଅଧିକାରୀ ସସ୍ମିତା ମହାନ୍ତି ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ ।
ଏଥିସହ ଜିଲ୍ଲାର ସମସ୍ତ ଉପଖଣ୍ଡସ୍ତରୀୟ ପ୍ରୋଗ୍ରାମ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାଉନସେଲର, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ୱାନ୍ ଷ୍ଟପ୍ ସେଣ୍ଟରର ସେଣ୍ଟର ଆଡମିନିଷ୍ଟ୍ରେଟର, ଡିସି ପୋଷଣ ଏବଂ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର କର୍ମଚାରୀମାନେ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାକୁ ଶିଶୁ ବିବାହମୁକ୍ତ କରିବା ଦିଗରେ ଚାଲୁଥିବା ପ୍ରୟାସକୁ ଅଧିକ ସୁଦୃଢ଼ କରିବା ସହ ଶିଶୁମାନଙ୍କ ସୁରକ୍ଷା, ଅଧିକାର ଓ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସମନ୍ୱିତ ଉଦ୍ୟମ ଜାରି ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
