କେନ୍ଦ୍ରାପଡ଼ା (ବିକାଶ ବେହେରା) : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକସ୍ଥିତ ପ୍ରସିଦ୍ଧ ପୂଣ୍ୟ ଧର୍ମପୀଠ ତଥା ଗୁପ୍ତ ନୈମିଷାରଣ୍ୟ କୁଦାନଗରୀର ମା’ କାଳୀଙ୍କ ଭବ୍ୟ ମନ୍ଦିର ପରିସରରେ ବ୍ରାହ୍ମଣ ମହାସଂଘ ଭୁବନେଶ୍ୱର ଶାଖା ପକ୍ଷରୁ ଏକ ମହତ ତଥା ପ୍ରେରଣାଦାୟୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାତ୍ମିକତାର ମନୋରମ ପରିବେଶ ମଧ୍ୟରେ ଆୟୋଜିତ ଏହି ସମାବେଶରେ ବ୍ରାହ୍ମଣ ମହାସଂଘ ଭୁବନେଶ୍ୱର ଶାଖାର ସମ୍ପାଦକ ରମାକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ପଣ୍ଡିତ ସୁନୀଲ ନନ୍ଦ ବ୍ରାହ୍ମଣତ୍ୱର ଗୂଢ଼ ରହସ୍ୟ ଉନ୍ମୋଚନ କରିବା ସହ ବୈଦିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ବେଦ, ପୁରାଣ ଓ ଧର୍ମଶାସ୍ତ୍ରରୁ କାଳଜୟୀ ଶ୍ଳୋକ ଉଦ୍ଧାର କରି ସେ କହିଥିଲେ ଯେ, “ସ୍ୱାଧ୍ୟାୟ ଓ ସଦାଚାର ହିଁ ବ୍ରାହ୍ମଣର ପ୍ରକୃତ ଆଭୂଷଣ। ନିତ୍ୟ ତ୍ରିକାଳ ସନ୍ଧ୍ୟା, ଗାୟତ୍ରୀ ଉପାସନା ଓ ଶୁଦ୍ଧ-ସଂଯମୀ ଆଚରଣ ହିଁ ଜଣେ ବ୍ରାହ୍ମଣକୁ ଆତ୍ମିକ ତେଜରେ ତେଜସ୍ୱୀ କରାଇଥାଏ। ଏହି ଆନ୍ତରିକ ତେଜ ଏବଂ ପବିତ୍ର ଜୀବନଶୈଳୀ ଦ୍ୱାରା ହିଁ ସମାଜର ପ୍ରତ୍ୟେକ ବର୍ଗର ମଣିଷ ସ୍ୱତଃସ୍ଫୂର୍ତ୍ତ ଭାବେ ପ୍ରଭାବିତ ହୋଇଥାନ୍ତି ଓ ବ୍ରାହ୍ମଣଙ୍କୁ ଅନୁସରଣ କରିଥାନ୍ତି | ଆଜିର ସମୟରେ ନିୟମିତ ସ୍ୱାଧ୍ୟାୟର ଅଭାବ ଓ ସଦାଚାରର ଅବକ୍ଷୟ ଯୋଗୁଁ ସମାଜରେ ବ୍ରାହ୍ମଣମାନଙ୍କର ପ୍ରଭାବ ତଥା ଗାରିମା ହ୍ରାସ ପାଉଥିବା ନେଇ ସେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଆତ୍ମସମୀକ୍ଷାର ବାର୍ତ୍ତା ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପଣ୍ଡିତ ଜୟନ୍ତ କୁମାର ଶତପଥୀ ବ୍ରାହ୍ମଣ ସମାଜର ପୂର୍ବ ଗୌରବ ଓ ପ୍ରତିଷ୍ଠାକୁ ପୁନରୁଦ୍ଧାର କରିବା ଉପରେ ଜୋର୍ ଦେଇଥିଲେ। ସେ କହିଥିଲେ ଯେ, “ଆମର ଅସ୍ମିତା ଓ ଲୁପ୍ତପ୍ରାୟ ପରମ୍ପରାକୁ ଫେରାଇ ଆଣିବାକୁ ହେଲେ ବ୍ରାହ୍ମଣ ସମାଜକୁ ଏକତାବଦ୍ଧ ହେବାକୁ ପଡ଼ିବ। ଏହି ପୁନରୁତ୍ଥାନ ବାହାରୁ ନୁହେଁ, ବରଂ ନିଜ ଘରୁ ହିଁ ଆରମ୍ଭ ହେବା ଆବଶ୍ୟକ। ପ୍ରତ୍ୟେକ ପରିବାରରେ ପ୍ରତିଦିନ ଶ୍ରୀବିଷ୍ଣୁ ସହସ୍ରନାମ ପାଠ ଓ ଶ୍ରୀମଦ୍ଭଗବଦ୍ଗୀତା ସ୍ୱାଧ୍ୟାୟକୁ ଏକ ଦୈନନ୍ଦିନ ନିୟମ ଭାବେ ଆପଣାଇବାକୁ ପଡ଼ିବ। ନିଷ୍ଠା ଓ ସଂସ୍କାରର ଏହି ପବିତ୍ର ପ୍ରବାହ ହିଁ ଆଗାମୀ ପିଢ଼ିକୁ ପ୍ରକୃତ ସଂସ୍କୃତି ସହ ଯୋଡ଼ି ରଖିପାରିବ।”

ଅଧ୍ୟକ୍ଷତା କରୁଥିବା ଶାଖା ସମ୍ପାଦକ ରମାକାନ୍ତ ମିଶ୍ର ନିଜର ଅଭିଭାଷଣରେ ବ୍ରାହ୍ମଣ ମହାସଂଘର ପ୍ରତିଷ୍ଠା, ଆଭିମୁଖ୍ୟ ତଥା ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ସେ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ, ଆଗାମୀ ଦିନରେ ରାଜ୍ୟର କୋଣଅନୁକୋଣରେ ବିଛାଡ଼ି ହୋଇ ରହିଥିବା ସମଗ୍ର ବ୍ରାହ୍ମଣ ସମାଜକୁ ଏକ ସୂତ୍ରରେ ବାନ୍ଧିବା ପାଇଁ ଏକ ସୁଚିନ୍ତିତ ଓ ବ୍ୟାପକ ‘ଡାଟାବେସ୍’ ପ୍ରସ୍ତୁତ କରାଯିବ। ପ୍ରତ୍ୟେକ ବ୍ରାହ୍ମଣଙ୍କ ନାମ, ଗୋତ୍ର, ଠିକଣା ଏବଂ ଯୋଗାଯୋଗ ନମ୍ବର ସଂଗ୍ରହ କରି ସେମାନଙ୍କୁ ମହାସଂଘର ସଙ୍ଗଠନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରିବା ପାଇଁ ସେ ଉପସ୍ଥିତ ସମସ୍ତ ବିପ୍ରମାନଙ୍କୁ ଆଗଭର ହୋଇ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ।
ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଜ୍ଞାନୀଗୁଣୀ ପଣ୍ଡିତ ହୃଷୀକେଶ ମିଶ୍ର, ଉମାକାନ୍ତ ମିଶ୍ର, ଅନୀଲ କୁମାର ଶତପଥୀ, ତାପସ କୁମାର ପଣ୍ଡା, ରବୀନ୍ଦ୍ରନାଥ ତ୍ରିପାଠୀ, ବସନ୍ତ କୁମାର ମିଶ୍ର, ବିଶିଷ୍ଟ ସମାଜସେବୀ ଜ୍ଞାନବଲ୍ଲଭ ପାତ୍ର ଏବଂ କୃଷ୍ଣଚୈତନ୍ୟ ବ୍ରହ୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସାରଗର୍ଭକ ମନ୍ତବ୍ୟ ପ୍ରଦାନ କରିଥିଲେ। ସଭା କାର୍ଯ୍ୟର ଅନ୍ତମ ପର୍ଯ୍ୟାୟରେ ଇଂ. ହରିହର ତ୍ରିପାଠୀ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନାଚକ୍ର ଶେଷରେ ଅତିଥି ଓ ବ୍ରାହ୍ମଣମାନେ ନୈମିଷାରଣ୍ୟର ପବିତ୍ର ଶୁକପରିକ୍ଷିତଙ୍କ ପୀଠ ଦର୍ଶନ କରିବା ସହିତ ଶୁକମୁନିଙ୍କ ଆଶ୍ରମରେ ସାମୁହିକ ଶ୍ରୀମଦଭାଗବତ ପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |
