IMG 20261003 WA0237

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ ନବାଗତଙ୍କୁ ସ୍ୱାଗତ

ରାଜ୍ୟ
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗ ପକ୍ଷରୁ ୨୦୨୬-୨୮ ଶିକ୍ଷାବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବା ଏବଂ ବିଭାଗର ଶିକ୍ଷା, ଗବେଷଣା ଓ ବୃତ୍ତିଗତ ପରିବେଶ ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ‘ଫ୍ରେଶଗ୍ଲୋ ଟୁକେଟୁସିକ୍‌ସ୍‌’ ଶୀର୍ଷକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ପ୍ରଫେସର ଏମ୍‌. ହିମବିନ୍ଦୁ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବା ସହ ଛାତ୍ରଜୀବନରେ ଶିକ୍ଷାଗତ ଚାପ, କ୍ୟାରିୟର ଚିନ୍ତା ଓ ବ୍ୟକ୍ତିଗତ ଆହ୍ୱାନଗୁଡ଼ିକୁ ସନ୍ତୁଳିତ ଭାବେ ସମ୍ମୁଖୀନ ହେବା, ନିଜ ଉପରେ ବିଶ୍ୱାସ ରଖିବା ଏବଂ ଆବଶ୍ୟକ ସମୟରେ ପରାମର୍ଶ ନେବାକୁ ଆହ୍ୱାନ ଦେଇ ସଭାପତୀୟ ଅଭିଭାଷଣ ରଖିଥିଲେ ।
ବିଭାଗର ସହକାରୀ ଅଧ୍ୟାପକ ଡ. ପ୍ରଶାନ୍ତ କୁମାର ସ୍ୱାଇଁ ସ୍ୱାଗତ ଅଭିଭାଷଣ ଓ ପ୍ରସ୍ତୁତି ମାଧ୍ୟମରେ ନବାଗତ ଛାତ୍ରଛାତ୍ରୀଙ୍କୁ ବିଭାଗର ଶିକ୍ଷାଦାନ ପ୍ରଣାଳୀ, ପାଠ୍ୟକ୍ରମ, ବିଭିନ୍ନ ଏକାଡେମିକ୍‌ ସୁଯୋଗ ଓ ବିଭାଗୀୟ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ବିଭାଗର ସହକାରୀ ଅଧ୍ୟାପକ ଡ. ସ୍ୱରୂପାନନ୍ଦ ବିଷୟୀ ନବାଗତମାନଙ୍କୁ ସ୍ୱାଗତ ଜଣାଇ ଉଚ୍ଚଶିକ୍ଷାର ଏହି ନୂତନ ପର୍ଯ୍ୟାୟରେ ପାଠପଢ଼ା ସହିତ ନିଜର ଦକ୍ଷତା, ସୃଜନଶୀଳତା, ସମସ୍ୟା ସମାଧାନ କ୍ଷମତା ଓ ଗବେଷଣାମନସ୍କତା ବିକଶିତ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଭାଗର ପୂର୍ବତନ ଛାତ୍ରଛାତ୍ରୀମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ନବାଗତଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଜୀବନର ସୁଯୋଗକୁ ସଠିକ୍‌ ଭାବେ ବ୍ୟବହାର କରି ନିଜର କ୍ୟାରିୟର ଗଢ଼ିବା ପାଇଁ ନିଜ ଅଭିଜ୍ଞତା ଓ ପରାମର୍ଶ ବାଣ୍ଟିଥିଲେ । ଏହି ଅବସରରେ ବ୍ରାଣ୍ଡ୍‌ସ୍କେପ୍‌ସ୍‌ ୱାର୍ଡ୍‌ୱାଇଡ୍‌ର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ମାନସ କୁମାର ରଥ ଶିଳ୍ପ କ୍ଷେତ୍ରରେ ପ୍ରଯୁକ୍ତିର ଦ୍ରୁତ ପରିବର୍ତ୍ତନ, କମ୍ପ୍ୟୁଟର ପ୍ରୟୋଗ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଉଦୀୟମାନ ସୁଯୋଗ ଏବଂ ଶିଳ୍ପଜଗତର ଆବଶ୍ୟକତା ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ନିରନ୍ତର ଶିକ୍ଷା, ପ୍ରଯୁକ୍ତିଗତ ଦକ୍ଷତା ଓ ବୃତ୍ତିଗତ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।
ପରେ ତୃତୀୟ ସେମିଷ୍ଟରର ଛାତ୍ରଛାତ୍ରୀମାନେ ନବାଗତଙ୍କୁ ସ୍ୱାଗତ କରି ନିଜର ବିଭାଗୀୟ ଅଭିଜ୍ଞତା ବାଣ୍ଟିଥିବାବେଳେ ପ୍ରଥମ ସେମିଷ୍ଟରର ଛାତ୍ରଛାତ୍ରୀମାନେ ନିଜର ପରିଚୟ, ଆଗ୍ରହ ଓ ଆଶା-ଆକାଂକ୍ଷା ସମ୍ପର୍କରେ ମତବ୍ୟକ୍ତ କରି ସ୍ୱାଗତକୁ ଗ୍ରହଣ କରିଥିଲେ । ଶେଷରେ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।