IMG 20261002 WA0363

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ରାଜ୍ୟ
  • ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ସହ ସର୍ବଧର୍ମ ପ୍ରାର୍ଥନା ସଭା
ବାରିପଦା: ସ୍ଥାନୀୟ ଗାନ୍ଧୀ ପାର୍କଠାରେ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବାରିପଦା ପୌରପାଳିକାର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା  ଭାରତୀ ହାଁସଦା ମୁଖ୍ୟ ଅତିଥି ଏବଂ ବାରିପଦା ପୌରପାଳିକା ଅଧ୍ୟକ୍ଷ  କୃଷ୍ଣାନନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀ, ଲାଲ୍ ବାହାଦୂର ଶାସ୍ତ୍ରୀ ଓ କସ୍ତୁରବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । ନିମନ୍ତ୍ରିତ ଅତିଥି ଓ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ପ୍ରତିମୂର୍ତ୍ତିଗୁଡ଼ିକରେ ମାଲ୍ୟାର୍ପଣ କରି ମହାନ ବ୍ୟକ୍ତିତ୍ୱମାନଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିଥିଲେ । ଏହାପରେ ଗାନ୍ଧୀ ପାର୍କଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ‘ପ୍ରତିଶ୍ରୁତି’ ପତ୍ରିକାର ସମ୍ପାଦକ ଡ. ଭାଗବତ ପଣ୍ଡା ଶ୍ରୀମଦ୍ଭାଗବଦ୍ ଗୀତାର ନୀତିବାଣୀ ପାଠ କରିଥିବା ବେଳେ ମୌଲାନା ତାହିର ହବିବ୍ ଅଲ୍ଲୀ କୋରାନ୍‌ର କିୟଦଂଶ ପାଠ କରିଥିଲେ । ଏହି ସର୍ବଧର୍ମ ପ୍ରାର୍ଥନା ମାଧ୍ୟମରେ ଶାନ୍ତି, ସହିଷ୍ଣୁତା ଓ ସାମ୍ପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ପ୍ରସାର କରାଯାଇଥିଲା ।
ଏହି ଅବସରରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ କୃତୀ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ତଥା ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସଭାରେ  ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ,  ବାରିପଦା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କ ସମେତ ପୌରପାଳିକାର କାଉନସିଲରମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଏବଂ ବାରିପଦା ପୌରପାଳିକାର କର୍ମଚାରୀମାନେ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ।