Scb

SCB ମାନସିକ ରୋଗ ବିଭାଗରେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ରାଜ୍ୟ

ଭୁବନେଶ୍ବର: କଟକ SCBରେ ରୋଗୀଙ୍କ ମୃତ୍ୟୁ, ମାଡ଼ ଅଭିଯୋଗ । ଚିକିତ୍ସା ପାଇଁ ଆସିଥିଲେ, ମୃତ୍ୟୁ ପରେ ଉଠିଲା ପ୍ରଶ୍ନ । SCB ମାନସିକ ରୋଗ ବିଭାଗରେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି। ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ଅନୁଯାୟୀ, ଯାଜପୁର ରୋଡ ଅଞ୍ଚଳର ମାନସିକ ରୋଗୀ ଶ୍ରୀକାନ୍ତ ଦାସ କଟକ SCB ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ଗତ ୨୮ ତାରିଖରେ ଶ୍ରୀକାନ୍ତଙ୍କୁ ମାନସିକ ରୋଗ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଧୀନ ଥିବା ବେଳେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ପରିବାରର ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ବିଭାଗର କିଛି ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟ ମିଶି ଶ୍ରୀକାନ୍ତଙ୍କୁ ମାଡ଼ ମାରିଥିଲେ । ସେହି ସମୟରେ ବାହାରେ ଥିବା ପରିବାର ଲୋକେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କ କଥା ଶୁଣିନଥିଲେ । ପରେ ପରିବାର ଲୋକେ ଶ୍ରୀକାନ୍ତଙ୍କ ନିକଟକୁ ଯାଇ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ମୃତଦେହର ବିଭିନ୍ନ ସ୍ଥାନରେ ମାଡ଼ର ଚିହ୍ନ ଥିବା ନେଇ ମଧ୍ୟ ପରିବାର ଲୋକେ ଦାବି କରିଛନ୍ତି ।

ଘଟଣାପରେ ମୃତକଙ୍କ ପରିବାର ପକ୍ଷରୁ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ତେବେ ଶ୍ରୀକାନ୍ତଙ୍କ ମୃତ୍ୟୁ ପ୍ରକୃତରେ କିପରି ହେଲା, ତାଙ୍କୁ ମାଡ଼ ମରାଯାଇଥିଲା କି ନାହିଁ ଏବଂ ଘଟଣାରେ କାହାର ଭୂମିକା ରହିଛି ତାହା ପୋଲିସ ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ । ଏପଟେ ଏସସିବି ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ଡାକ୍ତର ଜୋତିଶ ଚୌଧୁରୀ କହିଛନ୍ତି, ଘଟଣା ସମ୍ପର୍କରେ ଖବର ପାଇଛୁ । ତଦନ୍ତରେ ପୋଲିସକୁ ସହଯୋଗ କରିବୁ ।