ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବା ଏବଂ ବିଭାଗର ଶିକ୍ଷା ପରିବେଶ ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ଏକ ଭବ୍ୟ ଅନୁସ୍ଥାପନ ଓ ସ୍ୱାଗତ ସମାରୋହ ‘ଇକୋନୋଭା’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭାଗର ଅଧ୍ୟାପକ-ଅଧ୍ୟାପିକା, ଶୋଧାର୍ଥୀ, ନବାଗତ ଛାତ୍ରଛାତ୍ରୀ ଏବଂ ବରିଷ୍ଠ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହା ମାଧ୍ୟମରେ ନବାଗତ ଛାତ୍ରଛାତ୍ରୀଙ୍କୁ ବିଭାଗର ଶିକ୍ଷାଦାନ ପ୍ରକ୍ରିୟା, ବିଭିନ୍ନ ଏକାଡେମିକ୍ କାର୍ଯ୍ୟକ୍ରମ, ବିଭାଗୀୟ ବ୍ୟବସ୍ଥା ତଥା ଶିକ୍ଷା ଓ ସହଶିକ୍ଷା କାର୍ଯ୍ୟକଳାପର ସୁଯୋଗ ସମ୍ପର୍କରେ ପରିଚିତ କରାଯାଇଥିଲା ।
ଏହି ଅବସରରେ ବିଭାଗୀୟ ଅଧ୍ୟାପକ-ଅଧ୍ୟାପିକାମାନେ ସମସାମୟିକ ସାମାଜିକ ଓ ଅର୍ଥନୈତିକ ପ୍ରସଙ୍ଗକୁ ବୁଝିବାରେ ଅର୍ଥନୀତି ବିଷୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏଥିସହିତ ଛାତ୍ରଛାତ୍ରୀଙ୍କୁ ବିଶ୍ଳେଷଣାତ୍ମକ ଚିନ୍ତନ, ଜିଜ୍ଞାସା ଏବଂ ଗବେଷଣାଭିତ୍ତିକ ଦୃଷ୍ଟିକୋଣ ବିକଶିତ କରିବାକୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଏକ ଆଲୋଚନାତ୍ମକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ନବାଗତ ଛାତ୍ରଛାତ୍ରୀମାନେ ନିଜର ପରିଚୟ, ଶିକ୍ଷାଗତ ଆଗ୍ରହ ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ବରିଷ୍ଠ ଛାତ୍ରଛାତ୍ରୀମାନେ ବିଭାଗରେ ନିଜର ଅଭିଜ୍ଞତା ବାଣ୍ଟିବା ସହ ନବାଗତମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବିଭାଗର ସାପ୍ତାହିକ ଅର୍ଥନୀତି ସେମିନାର ‘ଅର୍ଥରେଖା’ ର ଲୋଗୋ ବିଭାଗର ମୁଖ୍ୟ ପ୍ରଫେସର କବିତା କୁମାରୀ ସାହୁ ଉନ୍ମୋଚନ କରିଥିଲେ । ଏଥିସହିତ ବିଭାଗର ଉଭୟ ଶ୍ରେଣୀ ପାଇଁ କ୍ଲାସରୁମ୍ ପ୍ରତିନିଧି ଏବଂ ଆଗାମୀ ଶିକ୍ଷା ବର୍ଷ ପାଇଁ ସେମିନାର ସେକ୍ରେଟାରୀ ଓ ଆସିଷ୍ଟାଣ୍ଟ ସେମିନାର ସେକ୍ରେଟାରୀଙ୍କର ଚୟନ କରାଯାଇଥିଲା l
