IMG 20260928 WA0291

ଜାତୀୟ ନାଟ୍ୟ ମହୋତ୍ସବର ୭ମ ସନ୍ଧ୍ୟା: ମନ ମୋହିଲା ବାରିପଦାର “ଶେଷରେ ଧରମା କହିଲା” ଓ ଲକ୍ଷ୍ନୌର “ଶିକସ୍ତା”

ରାଜ୍ୟ
ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୭ମ ସନ୍ଧ୍ୟାରେ ୧ମ ନାଟକ ଯୁଗେଚ୍ଛା, ବାରିପଦା ପ୍ରଯୋଜିତ ନାଟକ “ଶେଷରେ ଧରମା କହିଲା” ମଞ୍ଚସ୍ଥ ହୋଇଥିଲା I ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତା ସ୍ବର୍ଗତ ବିଜୟ ମହାନ୍ତିଙ୍କ ରଚିତ ଓ ସନ୍ତୋଷ ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକରେ ପ୍ରୟାସ ଶତପଥି, ପ୍ରସନ୍ନ କୁମାର ମହାନ୍ତି, ରଣଜିତ କୁମାର ସାହୁ, ସୁବ୍ରତ କୁମାର ବସା, କୁନ୍ଦନ କୁମାର ଭଞ୍ଜ, ସରୋଜ କୁମାର ଶତପଥି, ଜଗଦିଶ ଚନ୍ଦ୍ର ଦାସ, ଅଭିଷେକ ମହାପାତ୍ର, ଶିଶୁ କଳାକାର ଜୟ କୁମାର ପୁହାଣ, ଏବଂ କାକଳି ନନ୍ଦୀ, ରାଜନନ୍ଦିନୀ ଦାସ, ଦୀପ୍ତି ସ୍ମିତା ସାହୁ, ଶୈଳେନ୍ଦ୍ରୀ ରାୟ ଓ ଶୁଭସ୍ମିତା ସାହୁ ଅଭିନୟ କରିଥିବା ବେଳେ ଆଲୋକରେ ରାଜେଶ କୁମାର ଦାଶ, ଶବ୍ଦରେ ଗୁହିରାମ ଜେନା ଓ ଉର୍ଜା ମହାନ୍ତି, ସଂଗୀତରେ କାଲୁ ବାବୁ, ମଞ୍ଚ ସଜ୍ଜାରେ ନରସିଂହ ବାରିକ, ମଞ୍ଚ ପରିଚାଳନାରେ ଜ୍ଞାନରଞ୍ଜନ ପଣ୍ଡା ଓ ସତ୍ୟାନନ୍ଦ ଶେଜପଡା ସହଯୋଗ କରିଥିଲେ I
ନିପା ରଙ୍ଗମଣ୍ଡଳୀ, ଲକ୍ଷ୍ନୌ ପ୍ରଯୋଜିତ ଏବଂ ଭାରତେନ୍ଦୁ କଶ୍ୟପ ଓ ସୂର୍ଯ୍ୟ ମୋହନ କୁଲଶ୍ରେଷ୍ଠଙ୍କ ରଚିତ ଓ ନିର୍ଦ୍ଦେଶିତ ୨ୟ ନାଟକ “ଶିକସ୍ତା” ରେ ସୂର୍ଯ୍ୟ ମୋହନ କୁଲଶ୍ରେଷ୍ଠ ଓ ମ୍ରିଦୁଲା ଭରଦ୍ୱାଜ ଅଭିନୟ କରିଥିବା ବେଳେ ଆଲୋକରେ ସୁଜିତ ସିଂହ ଯାଦବ, ମଞ୍ଚ ପରିଚାଳନା ଓ ସଂଗୀତରେ ସୁମିତ ଶ୍ରୀବାସ୍ତବ, ମଞ୍ଚ ସଜ୍ଜାରେ ବିପିନ ପ୍ରତାପ ରାଓ ଓ ନୀଲ ଗୁପ୍ତା ସହଯୋଗ କରିଥିଲେ I ଉଭୟ ନାଟକରେ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ସ୍ତବ୍ଧ କରିଥିଲା I ଆୟୋଜନ କମିଟିର ସଭାପତି ଡ଼ା. କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ ଗଦାଧର ପୁଟି, ଇ. ପୀତବାସ ସେଠି, ବାରିପଦା ବି ଇ ଓ ଅନୁଜା ମାଧୁରୀ ଦାସ ପ୍ରମୁଖ ଅତିଥି ଭାବେ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ମହୋତ୍ସବର ସଫଳତା କାମନା କରିଥିଲେ I ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇ. ମାନସ ଷଡ଼ଙ୍ଗୀ, ପ୍ରାଧ୍ୟାପକ ଶ୍ରୀନିବାସ ଭଞ୍ଜ ଓ ପ୍ରଯୋଜକ ନନ୍ଦିକେଶ ଶେଜପଡାଙ୍କୁ ମୟୁରଭଞ୍ଜ ମହା ସମ୍ମାନରେ ସମ୍ମାନିତ କରାଯାଇଥିଲା I
ପ୍ରଖ୍ୟାତ ଲେଖକ, ଅଭିନେତା ଓ ନିର୍ଦ୍ଦେଶକ ରାଜୀବ ପାଣି, ବରିଷ୍ଠ ଅଭିନେତା ନିର୍ଦ୍ଦେଶକ ସନ୍ତୋଷ ମହାନ୍ତି ଓ ଅଭିନେତା ନିର୍ଦ୍ଦେଶକ ସୂର୍ଯ୍ୟ ମୋହନ କୁଲଶ୍ରେଷ୍ଠଙ୍କୁ ସ୍ମୃତି ସମ୍ମାନରେ ଏବଂ ଡ଼. ଚନ୍ଦ୍ରାବତୀ ବେହେରା ଓ ଚିତ୍ରଶିଳ୍ପୀ ପ୍ରଣତି ପଟ୍ଟନାୟକଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା I ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ତଥା କମିଟିର ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ I ମଙ୍ଗଳବାର ଦିନ ନାଟ୍ୟମ, ଅନୁଗୁଳ ପ୍ରଯୋଜିତ “ଚିତ୍ରଲିପି” ଓ ମିରର ଥିଏଟର ଗ୍ରୁପ, ବେଲପାହାଡ଼ ପ୍ରଯୋଜିତ “ଉଲଫି” ନାଟକ ପରିବେଷିତ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I