IMG 20260927 WA0271

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବାରିପଦାରେ ୫ କି.ମି. ପ୍ରମୋ ରନ୍: ଭାଗ ନେଲେ ୨୦୦ ଧାବକ

ରାଜ୍ୟ
ବାରିପଦା: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀର ପ୍ରଚାର-ପ୍ରସାର, ପର୍ଯ୍ୟଟନ ପ୍ରତି ଜନସଚେତନତା ଏବଂ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ବାରିପଦାରେ ପାଞ୍ଚ କିଲୋମିଟର ‘ଓଡ଼ିଶା ପ୍ରମୋ ରନ୍’ ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୁବିଲି ଲାଇବ୍ରେରୀଠାରେ ପତାକା ଦେଖାଇ ଏହି ଦୌଡର ଶୁଭାରମ୍ଭ କରିଥିଲେ । ପ୍ରାୟ ୨୦୦ ଜଣ ଧାବକ ଏଥିରେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୟ୍ କହିଥିଲେ ଯେ, ମୟୂରଭଞ୍ଜ ପ୍ରାକୃତିକ ସମ୍ପଦ, ଜୈବ ବିବିଧତା, ଐତିହ୍ୟ ଓ ସାଂସ୍କୃତିକ ବିଶେଷତାରେ ସମୃଦ୍ଧ । ଏଭଳି ଆୟୋଜନ ମାଧ୍ୟମରେ ଜିଲ୍ଲା ତଥା ଓଡ଼ିଶାର ପର୍ଯ୍ୟଟନ ସମ୍ପଦକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଫିଟନେସ୍ ଓ ସୁସ୍ଥ ଜୀବନଶୈଳୀ ପ୍ରତି ଜନସଚେତନତା ବୃଦ୍ଧି କରାଯାଇପାରିବ । ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର-ପ୍ରସାର ସହ ସେଗୁଡ଼ିକର ପରିବେଶ ଓ ଐତିହ୍ୟର ସୁରକ୍ଷା ପ୍ରତି ମଧ୍ୟ ସମସ୍ତଙ୍କ ସଚେତନତା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।
ପର୍ଯ୍ୟଟନକୁ ଅଧିକ ଲୋକାଭିମୁଖୀ କରିବାର ବାର୍ତ୍ତାକୁ ନେଇ ଆୟୋଜିତ ଏହି ପ୍ରମୋ ରନ୍ ଜୁବିଲି ଲାଇବ୍ରେରୀଠାରୁ ଆରମ୍ଭ ହୋଇ ବାଲେଶ୍ୱର ଗୋଲେଇ, ଜଗନ୍ନାଥ ମନ୍ଦିର, ବଡ଼ବଜାର, ମା’ ଅମ୍ବିକା ମନ୍ଦିର, ବିଜୁ ପଟ୍ଟନାୟକ ଛକ ଓ ବାଣ୍ଠିଆ ଜଗନ୍ନାଥ ମନ୍ଦିର ଦେଇ ପୁନର୍ବାର ଜୁବିଲି ଲାଇବ୍ରେରୀଠାରେ ଶେଷ ହୋଇଥିଲା ।
ଜିଲ୍ଲା କ୍ରୀଡ଼ାଧିକାରୀ ଡ଼ଃ ଶୁଭାଶିଷ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରମୋ ରନ୍ ଆୟୋଜିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସୁଚାରୁ ଆୟୋଜନ ପାଇଁ ଜିଲ୍ଲା କ୍ରୀଡ଼ା ବିଭାଗ ଓ ପର୍ଯ୍ୟଟନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସମନ୍ୱିତ ଭାବେ କାର୍ଯ୍ୟ କରିଥିଲେ ।