Crash

କଙ୍ଗୋରେ ବିମାନ ଦୁର୍ଘଟଣା, ଦୁଇ ବରିଷ୍ଠ ସାମରିକ ବିଚାରପତିଙ୍କ ସମେତ ୧୪ ମୃତ

ଦେଶ - ବିଦେଶ

କଙ୍ଗୋ: କଙ୍ଗୋରେ ଭୟାବହ ବିମାନ ଦୁର୍ଘଟଣା । ଦୁଇ ବରିଷ୍ଠ ସାମରିକ ବିଚାରପତିଙ୍କ ସମେତ ୧୪ ମୃତ । ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଭୟାବହ ପ୍ଲେନ କ୍ରାସ । ଦେଶର ଦକ୍ଷିଣ-ପଶ୍ଚିମ ସହର କିକ୍ୱିଟ୍ ରୁ ରାଜଧାନୀ କିନ୍ ଶାସା ଅଭିମୁଖେ ଯାଉଥିବା ଏକ Let L-410 ଟର୍ବୋପ୍ରପ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଛି । କଙ୍ଗୋ ସାମରିକ କର୍ତ୍ତୃପକ୍ଷଙ୍କ ଅନୁସାରେ ମୃତ୍ୟୁସଂଖ୍ୟା ୧୪ ।  ମୃତକଙ୍କ ମଧ୍ୟରେ ଦେଶର ସାମରିକ ନ୍ୟାୟ ବ୍ୟବସ୍ଥାର ଦୁଇ ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ହାଇ ମିଲିଟାରୀ କୋର୍ଟର ପ୍ରଥମ ସଭାପତି ଲେଫ୍ଟନାଣ୍ଟ ଜେନେରାଲ୍ ଜୋସେଫ୍ ମୁଟୋମ୍ବୋ କାଟାଲାୟି ଟିଏଣ୍ଡେ ଏବଂ ସଶସ୍ତ୍ର ବାହିନୀର ଅଡିଟର ଜେନେରାଲ୍ ଲେଫ୍ଟନାଣ୍ଟ ଜେନେରାଲ୍ ଲୁସିଏନ୍-ରେନେ ବାକୁମି ଲିକୁଲିଆଙ୍କ ମୃତ୍ୟୁ ହୋଇଛି । ଦୁଇ ଜେନେରାଲ୍ କିକ୍ୱିଟ୍ ରେ ଏକ ସରକାରୀ କାର୍ଯ୍ୟ ସାରି ଫେରୁଥିଲେ ।

ସୂଚନା ଅନୁସାରେ, 9S-GUC ପଞ୍ଜୀକୃତ ଏହି ବିମାନଟି ସ୍ଥାନୀୟ ସମୟ ପ୍ରାୟ ଦିନ ୧ଟା ୫୦ରେ କିକ୍ୱିଟ୍ ରୁ କିନ୍ ଶାସାର N’Dolo ବିମାନବନ୍ଦର ଅଭିମୁଖେ ଉଡ଼ାଣ ଭରିଥିଲା । ଉଡ଼ାଣ ସମୟରେ ବିମାନରେ ବୈଷୟିକ ତ୍ରୁଟି ଦେଖାଦେବା ପରେ ପାଇଲଟ୍ କ୍ୱାଙ୍ଗୋ ପ୍ରଦେଶର କେଙ୍ଗେ ଅଞ୍ଚଳରେ ଜରୁରୀ ଅବତରଣ ପାଇଁ ଉଦ୍ୟମ କରିଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅବତରଣ ପାଇଁ ସୁରକ୍ଷିତ ସ୍ଥାନ ଖୋଜି ବିମାନଟି କିଛି ସମୟ ଆକାଶରେ ଘୂରିଥିଲା । ପରେ ପ୍ରାୟ ଦିନ ୨ଟା ୫ ମିନିଟ୍ ରେ ମାନଜାଓ ଅଞ୍ଚଳର ଏକ ଆବାସିକ ସ୍ଥାନରେ ଖସିପଡ଼ିଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କଙ୍ଗୋ ସେନା ଓ ଦେଶର ବିମାନ ଦୁର୍ଘଟଣା ତଦନ୍ତକାରୀ ସଂସ୍ଥା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ଫେଲିକ୍ସ ଶିସେକେଡି ମଧ୍ୟ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।