ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନରଙ୍କ ତୁରନ୍ତ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ନିର୍ବାଚନ କମିଶନରମାନଙ୍କ ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତୀବ୍ର ମତଭେଦ ଦେଖା ଦେଇଛି । ଏଭଳି ସ୍ଥିତିରେ ଗଣତାନ୍ତ୍ରିକ ବ୍ୟବସ୍ଥାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦେବା ଉଚିତ । ଏହା ସହିତ ସମଗ୍ର SIR ପ୍ରକ୍ରିୟାର ଏକ ପୁଙ୍ଖାନୁପୁଙ୍ଖ ପୁନଃସମୀକ୍ଷା କରିବାକୁ ସେ ଦୃଢ଼ ଦାବି ଜଣାଇଛନ୍ତି ।
ବର୍ତ୍ତମାନ ଦେଶରେ ଚାଲିଥିବା SIR ପ୍ରକ୍ରିୟାକୁ ନେଇ ଚାଲିଥିବା ଝଡ଼ ଭିତରେ ନବୀନ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ତାଙ୍କ ଦଳ ଆରମ୍ଭରୁ ହିଁ ଏହି ପ୍ରକ୍ରିୟାକୁ ବିରୋଧ କରିଆସିଛି । ନବୀନଙ୍କ କହିବା ଅନୁସାରେ, BJD ଆରମ୍ଭରୁ ହିଁ SIR ପ୍ରକ୍ରିୟାକୁ ନେଇ ଆପତ୍ତି ଜଣାଇ ଆସିଛି । ଭୋଟର ତାଲିକାର ସଂଶୋଧନ ସମୟରେ ଯେପରି କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ ନପଡ଼େ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କୁ ସେ ପୂର୍ବରୁ କହିଥିବା ଖବର ପ୍ରକାଶ ପାଇଛି ।
